ଅନୁତାପ
ଅନୁତାପ




♦️♦️ ଅନୁତାପ ♦️
ଅନୁତାପ ନୁହେଁ କ୍ଷଣିକ ମନନ, ଅଳିକ ଜୀବନ ଧାରା
ଅନ୍ତର ମନରେ ପରିବର୍ତ୍ତନର ନିୟମିତ ଦିବ୍ୟ ଧାରା !
ଅନ୍ତର ମନର ଅପରାଧୀ ଟିକୁ ଅନ୍ତରରୁ କରି ଦୂର
ଆତମ ଶୁଦ୍ଧିରେ ବ୍ରତୀ ହୋଇଥାଏ ଦୃଢ ମନ ନେଇ ନର !
ଅଧିକ ଆଶାର ଲାଳସାରେ ବୁଡି କରମରୁ ବେଶୀ ଲୋଡି
ମଣିଷର ମନ ବାଟ ଭୁଲି, ଯାଏ ମନ୍ଦ କରମରେ ଜଡ଼ି !
ଅତିଶୟ ଭଉତିକ ସୁଖ ପାଇଁ ପାପ ଧନ ଠୁଳ କରେ
ବିଷୟରସରେ ଅନ୍ଧ ହୋଇ ନର ବିବେକର ପଥ ହୁଡେ !
ଅନୁତପ୍ତ ମନ ନ ଲୋଡ଼ିଲା ଯାଏଁ ବିଛେଦର ଅଂଗୀକାର
ପାପ-ପ୍ରଣୟର ଶୁଭ ପରିଣୟ ହୋଇଥାଏ ପରସ୍ପର !
ଅଲୋଡ଼ା ସୁଖରେ ଅରୁଚି ବଢ଼େଇ କୁସଂଗର ସାଙ୍ଗ ଏଡି
ଲଜ୍ଜିତ ଘୃଣିତ ଅନୁତପ୍ତ ମନ ସତସଙ୍ଗ ଥାଏ ଲୋଡି !
ଅନୁତାପ ଭାବ ପ୍ରାଣୀ ହୃଦୟରେ ଏକା ହୋଇ ରହେ ନାହିଁ
ଈଶ୍ବର ବିଶ୍ୱାସ, ବିବେକର ବାସ ସାଥେ ରହେ ଚିର ହୋଇ !