ଅନୁତାପ
ଅନୁତାପ


ଅନୁତାପ ଶଦ୍ଦେ ଏତେ ଶକ୍ତିଭରା
ଉତ୍ତାପେ ଜାଳଇ ଭ୍ରାନ୍ତି କାଳିମା
ଆତ୍ମ ବିଶ୍ଳେଷଣ ତାର ମୂଳ ମର୍ମ
ବିବେକ ବୋଳା ତା ଶବ୍ଦ ପ୍ରତିମା ।
ମଣିଷ ଜୀବନ ଚ଼ଲାପଥ ପରା
କେବେ ଭଙ୍ଗୁରତା କେବେ ସଳଖ
ପାପ ପୁଣ୍ୟ ର ଏ ଚୌହଦୀ ଉପରେ
କେବେ କେବେ ହୋଇଯାଏ ବିଲକ୍ଷ ।
ବାଲ୍ୟ କାଳୁ ଧର୍ମ ଧନ ସଞ୍ଚିବାକୁ
ଆମ ଶାସ୍ତ୍ର ଦିଏ ଚରମ ବାର୍ତ୍ତା
ସମ୍ମୋହନେ ଆମେ ବାନ୍ଧି ହୋଇ ଯାଉ
ହୋଇ ଯାଉ ଅହଂ ମନର କର୍ତ୍ତା ।
ସଂସ୍କାର ଗାଉଛି କରୁଣ ସଂଗୀତ
ବାଲ୍ୟ, କୈଶୋରର ଅନ୍ୟ ଆଧାରେ
ଯୌବନେ ଜୀବନ ପଥ ରେ ସ୍ଖଳନ
ପୌଢ଼ତା ବନ୍ଧିତ ଅବିଚାରରେ ।
ଅନୁତାପ ଶଦ୍ଦେ ପ୍ରୀତି ଗୀତି ଭରା
ଯଦି ସ୍ୱୀକାରୋକ୍ତି ଆତ୍ମାରୁ ମିଳେ
ନିଜ ଅଜାଣତେ ଭୁଲ୍ କରି କେବେ
ଆତ୍ମ ସମୀକ୍ଷାରୁ ମହକ ଖେଳେ |
ଅନୁତାପ ଅଗ୍ନି ମନ କରେ ଦଗ୍ଧ
ଉଜ୍ଜ୍ଵଳ ହୁଅଇ ଚରିତ୍ର ବତ୍ତା
ଅନୁତାପେ ପରା ଧୋଇ ହୋଇଯାଏ
ଜମି ଆସୁଥିବା ମନ ମଇଳା |
ଅନୁଶୋଚ଼ନା ରେ ଭୁଲ୍ ଦଗ୍ଧ ହେଲେ
ପୁନରାବୃତ୍ତି ର ପ୍ରଶ୍ନ ନଥାଏ
ବିଶ୍ୱାସ ନଈରେ ଭରସା ର ସ୍ରୋତ
ଜୀବନକୁ ସିକ୍ତ କରି ଯେ ଥାଏ ।
ସଂପର୍କ ଦୁଆରେ ଆତ୍ମ ପ୍ରବଞ୍ଚନା
ଅନୁତାପ ଜଳେ ଶୀତଳି ଯାଏ
ଅନୁତାପେ ହୃତ ପ୍ରତିଶୃତି ପୁଣି
ନୂଆ କଳିକାରେ ମଣ୍ଡିତ ହୁଏ ।
ଅନୁତାପେ ମଖା ବିବେକ ଚ଼ନ୍ଦନ
ଅନ୍ୟାୟ ପଟ୍ଟ ରେ ନ୍ୟାୟର ଛବି
ଅନୁତାପ ଆଣେ ଶାନ୍ତ ସମୀରଣ
ହୃଦୟେ ବିରାଜେ ଅପୂର୍ବ କାନ୍ତି |
ଅନୁତାପେ ଥାଏ ଅସୀମ ସାହସ
ସର୍ବ ସମ୍ମୁଖରେ ଦୃଢ ସ୍ଵୀକାର
ସ୍ୱୀକାରୋକ୍ତି ଦିଏ ଆତ୍ମିକ ଶକତି
ଭୁଲ୍ ରେ ନ ଶୁଭେ ଭୟାଳୁ ସ୍ୱର |
ଅନୁତାପ ଜଳେ ଶୁଦ୍ଧ ହୁଏ ମନ
ଅନ୍ତଃକରଣ ଯେ ନିର୍ମଳ ହୁଏ
ଶାନ୍ତିର କପୋତ ସଂପର୍କ ଡାଳରେ
ଚିର ଆନନ୍ଦରେ ଦୋହଲୁ ଥାଏ |
>ଅନୁତାପ ଆତ୍ମଚେତନା ଗ୍ରହୀତ
ଅହଂ ପୂର୍ଣ୍ଣାହୁତି ଦେଇ ଯେ ଥାଏ
ଆତ୍ମ ଦର୍ଶନରେ ଆତ୍ମାରାମ ପରା
ରାମ ନାମେ ନିତ୍ୟ ମଗନ ରହେ ।
ଅନୁତାପ ସଦା ସକ୍ରିୟ ରହିଲେ
ଶୁଦ୍ଧ ଚିତ୍ତବୃତ୍ତି ମନ ମାନସ
ସମୟ ଥାଉଁ ଯେ ଅନୁତାପ କଲେ
ସମସ୍ୟା ମଧ୍ୟରେ ମୁଖେ ହରସ |
ବଂଚ଼ି ଥାଉ ଥାଉ କ୍ଳେଶ କ୍ରୁଦ୍ଧ କରି
ମରିଗଲା ପରେ ଅନୁଶୋଚ଼ନା
ସେ ଅନୁତାପ ରେ କି ଲାଭ ମିଳଇ
ଶବ ସଙ୍ଗେ ଚାଲି ଯାଏ ଯନ୍ତ୍ରଣା ।
ମାନସ ମନ୍ଥନ ଆତ୍ମ ସଚେତନ
ବିବେକ ବନ୍ଧିତ ଜୀବନ ଧନ୍ୟ
ବିଚାର ଶୀଳତା ମାର୍ଜିତ କଥିକା'
ଅନୁତାପେ ହୁଏ ଜୀବ ମହାନ ।
ଅନୁତାପ ଦେଉ କର୍ତ୍ତବ୍ୟ ର ଡାକ
ବୃଦ୍ଧାଶ୍ରମ ଶବ୍ଦ ଉଭେଇ ଯାଉ
ରାସ୍ତା ଧାରେ ପୁଣ୍ୟ ଶିଶୁ କାନ୍ଦି କାନ୍ଦି
ପରିଚୟ ଖୋଜି ବ୍ୟଥା ନ ପାଉ ।
ବିଶ୍ୱାସରେ ଫୁଟୁ ଭରସା କଳିକା
ଆତ୍ମ ଗ୍ଳାନି ହଜୁ ଅନୁତାପରେ
କର୍ତ୍ତବ୍ୟ କର୍ମର ମର୍ମର ସଂଗୀତ
ସ୍ଵର ତୋଳୁ ଏଇ ଜନ ମନରେ |
ଅନୁତାପ କେବେ ନ ଆସୁ ମନରେ
ଭଲ କର୍ମ କରି ଏ ଭବ ରଙ୍ଗେ
ଭଲ କର୍ମେ ଆଶା ପୁଣ୍ୟ ହାରେ ଦିଶା
ସ୍ୱ କର୍ମେ ନିରେଖି ସନ୍ତୋଷ ସଙ୍ଗେ ।
ଅସ୍ତାଚ଼ଳେ ଆସି ଅନୁତାପ କରି
କି ଅବା ହୋଇବ ଜୀବନ ଧାରେ
ସମୟ ସଢ଼ିଛି ଯନ୍ତ୍ରଣା ଜଉରେ
ଲୁହ ବରଷିଛି ଆତ୍ମା ମନ୍ଦିରେ ।
ଅନୁତାପେ ହଜେ ଭୁଲ୍ ର ଆବୃତ୍ତି
ସଂପର୍କେ ମହକ ମନ ଚ଼ହଲେ
ବେଳ ଥାଉ ଟିକେ ଆଗକୁ ବଢ଼ିଲେ
ମାଟି ବୈକୁଣ୍ଠର ଦର୍ଶନ ମିଳେ ।
ବିକ୍ଷିପ୍ତ ଭାବନା ଚିତ୍ତ ଉନ୍ମାଦନା
ନଦୀ ତୀରେ ଅନୁତାପ ଆହୁଲା
ଅନୁତାପ ଜଳେ ଚ଼ିତ୍ତ ଶୁଦ୍ଧି କରି
ଜୀବନକୁ ଦେବା ପ୍ରୀତି ମେଖଳା ।
ବିବେକ ପଖଳା ବିଚାର ବିହ୍ବଳା
ଅନୁତାପ ହେଉ ପ୍ରୀତି ସୁଗନ୍ଧା
ସେ ସୁଗନ୍ଧେ ଭିଜୁ ଏଇ ଆମ ଧରା ସ୍ନେହ-ପ୍ରେମେ ମନ ହେଉ ଯେ ବନ୍ଧା ।