ଅନୁରାଗ
ଅନୁରାଗ
ମୋର ଏ କବିତା ପଢ଼ି ଭାବିପାର
ଇଏ ମୋ ମନର ଉଦ୍ ଵେଳନ ଅଥବା
ଶ୍ଳେଷୋକ୍ତି ପୂର୍ଣ୍ଣ କିଛି ଉପହାସ ମାତ୍ର
କିନ୍ତୁ ଆଜିବି ମୁଁ ଖୋଜେ ତୁମକୁ
ଜନ୍ମ ଆଉ ମୃତ୍ୟୁର ଉଦାସ ପ୍ରହରରେ ।
ସେ ଦିନ ସେ ମେଘ ମଲ୍ଲାର ରେ
ଝର ଝର ହୋଇ ରାଗିଣୀ ଝରିଲା ବେଳେ
ତୁମେ ଥିଲ କେଉଁଠି ....?
ମୋ ଆତ୍ମ ବିହ୍ଵଳବେଳାରେ
ଖୁବ୍ ଖୋଜିଥିଲି ତୁମକୁ ।
ନିଶାନ୍ତ ପ୍ରହରେ
ବର୍ଷାର ସେହି ରିମିଝିମି ଧାରାରେ
ବିଜୁଳିର ତଡ଼ିତ୍ ପ୍ରଭାରେ,
ସେଦିନ ମତୁଆଲା ହୋଇ
ମେଘବି ଖୁବ୍ ଗରଜୁଥିଲା
ମୁଁ ଖୋଜୁଥିଲି ତୁମକୁ,
ମୋ ଭାବାକ୍ରାନ୍ତ ମନର ଉନ୍ମୁକ୍ତ ତରଙ୍ଗରେ
ସତ କୁହତ!
ତୁମେ ଥିଲ କେଉଁଠି ?
ଜାଣିଛ?
ଦଲକାଏ ପବନର
ସୁଶୀତଳ ସ୍ପର୍ଶ ରେ ଉଲ୍ଲସିତ ହୋଇ
ମୋ କବିତା ଫାଙ୍କରେ
ତୁମ ଆବେଗକୁ ଭରିଥିଲି ।
ତୁମେ ହସୁଥିଲ,
ମୋ କବିତା ରାଜ୍ୟରେ
ସ୍ୱାଧୀନ ଏକ ମୁକ୍ତ ଆତ୍ମାରେ
ମୁଁ ଖୋଜୁଥିଲି ତୁମକୁ
ମୋ ମନର ଛନ୍ଦରେ,
ଠିକ୍ ମୁଗ୍ଧ ଯମୁନାର କୁଳୁ କୁଳୁ ନାଦ ପରି
ସତରେ କୁହନା!!
ତୁମେ ଥିଲ କେଉଁଠି ?
