STORYMIRROR

Kali Kumar

Tragedy Classics

2  

Kali Kumar

Tragedy Classics

ଅନୁଚ୍ଚାରିତ ଅଭିଯୋଗ

ଅନୁଚ୍ଚାରିତ ଅଭିଯୋଗ

1 min
215

ପ୍ରାତଃ ଏବଂ ସାୟମ୍ ଭ୍ରମଣ ପରେ

ମେଘ ଯେତେବେଳେ ତା'

ଅଭେଦ୍ୟ ରହସ୍ୟମୟ

ଗୁପ୍ତ ସ୍ଥାନକୁ ଫେରିଯାଏ,

ସେତେବେଳେର ଆକାଶଟା

ଅପେକ୍ଷାକୃତ ଭାବେ

ନିର୍ଜନ - ନିଃସଙ୍ଗ - ନୀରବ ପ୍ରତିମିତ ହୁଏ ।

କିଛି ବିହଙ୍ଗମଦଳ, ରଙ୍ଗବେରଙ୍ଗ ଗୁଡ଼ି

ଆଉ କେତୋଟି ଉଡ଼ାଜାହାଜ

ଅନିୟମିତତାର ସିଡ଼ି ଦେଇ

ଯେତେବେଳେ ଆତିଥ୍ଯତା ଗ୍ରହଣ କରନ୍ତି

ଆକାଶଟା ମୁଖରିତ ହୋଇଉଠେ,

ଆଉ ସେମାନଙ୍କର ଅନୁପସ୍ଥିତିରେ

ପୁନଃଶ୍ଚ ,

ଗମ୍ଭୀର,ନିଶ୍ଚଳ,ସ୍ତବ୍ଧ,ନିଷ୍କ୍ରିୟ,ମ୍ରିୟମାଣ ହୋଇଯାଏ ।

ଏ ଆକାଶଟା ଯେତିକି

ଗମ୍ଭୀର ଦେଖା ନ ଯାଏ

ତା' ଠୁ ଅଧିକ ବିଷଣ୍ଣ

ରାଧୁଆର ପରାଣ, ଯାହା

ତା' ଚେହେରାର ପରିବେଷ୍ଟିନିରୁ

ଜୀଣ୍ଣ ଶରୀରର ଶୀଣ୍ଣ ଆଶାରୁ

ଶତ ପ୍ରତିଶତ ବାରି ହୋଇପଡ଼ୁଥିଲା ।

ନିଶ୍ଚଳ ଚଟାଣ ଉପରେ

ସ୍ତବ୍ଧ ଆକାଶର

ଭ୍ରାମ୍ୟମାନ ମେଘୁଆ ବାଦଲକୁ

ଆଁ ଟେ କରି

ସେ ଅନେଇ ବସେ,

ଯାଯାବର ମେଘଗୁଡ଼ିକ କିନ୍ତୁ ଗର୍ଜନ କରି

ରାଧୁଆର ଭାବନାକୁ ନିଷ୍ଠୁରତାର ସହ

ଟିକିଏ ଚିଡ଼େଇ ଦେଇ

ପୁଣି ଫେରିଯାନ୍ତି,

ନିଜ ନିଜ ସ୍ଥାନକୁ ।।

ଅସହାୟ, ନିଃସହାୟ ରାଧୁଆର ମନେ

ଅନେକ ଅନୁଚ୍ଚାରିତ ଅଭିଯୋଗ

ଲହଡ଼ି ଭାଙ୍ଗେ,

ଗୁଞ୍ଜରଣ ସୃଷ୍ଟି କରେ,

କିନ୍ତୁ ସେସବୁ ଅଭିଯୋଗ

ରାଧୁଆର ଅନ୍ତଃସ୍ଥଳସ୍ଥ ଗଭୀର ପ୍ରଦେଶରୁ

ନିର୍ଗତ ଦୀର୍ଘଶ୍ବାସରେ ନିର୍ଲିପ୍ତ ହୋଇ

ତା' ଠି ହିଁ ସୀମିତ ହୋଇଯାଏ ।।

ଏ ମାଟି ମୂକ

ଆଉ ରାଧୁଆ ନିର୍ବାକ

ଜଣେ ବାକ୍ ଶୂନ୍ୟ

ଅପର ଜଣେ ଚେତନା ଶୂନ୍ୟ

ସଂଳାପ ବା ସମ୍ଭବ କିପରି !

ତେଣୁ ଦୁହିଁଙ୍କ ମଧ୍ୟରେ

ନିସ୍ତବ୍ଧତା ଘର ତୋଳି ନେଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy