ଅନୁଭୂତି ଏକ ମୁହୂର୍ତ୍ତର
ଅନୁଭୂତି ଏକ ମୁହୂର୍ତ୍ତର
ମୁହୂର୍ତ୍ତ ଏକର ଅନୁଭୂତି ମୁଁ ଯେ
ବଞ୍ଚିବାର ଆଶା ଯୁଗ ଯୁଗ
ମାନସ ପଟଳେ ଯଦି ଲେଖି ପାରେ
କିଛି ପ୍ରତ୍ୟୟ ପ୍ରତୀତ ଅନୁଭବ।।
ଶତ ପ୍ରୟାସ ମୋ ଶତତ ଜୀବିତ
ମାତ୍ର ଅସ୍ତିତ୍ୱ ମୋ ଗଛ ତଳ ଛାଇ
କେବେ ସମୟକୁ କେବେ ପବନକୁ
କାକୁତି କରିଛି ନେହୁରା ହୋଇ
ତଥାପି ଏଡେ଼ଇ ସବୁ ବିଘ୍ନ ବାଧା
ବିତରିଛି ଛାୟା ସେନେହ ସରାଗ।
ଅବହେଳିତ ଚଉକି ପରିତ୍ୟକ୍ତ
ତ୍ୟକ୍ତ କୋଠରି କୋଣେ ବସି ଅଛି
ଆସବାଵ ଯେତେ ଭଙ୍ଗା ଅସଜଡ଼ା
କୋଳେ ଆବୋରି ଆଜି ବି ଖୁସି ଅଛି
ଅପଲକ ନେତ୍ର ଅବଲୋକେ ସଦା
କେବେ କେହି କି କବାଟ ଖୋଲି ଦେବ।।
ହଲଚଲ ହୀନ ହୁଗୁଳା ବୟସ
ଖଣ୍ଡେ ଚାଦର ତଳେ ଫୁଙ୍ଗୁଳା ଦେହ
କେବେ ଉଡ଼ି ଯାଏ ଜାକି ଧରେ କେବେ
ଯେତେ ଉଜୁଡ଼ା ସମ୍ପର୍କ,ନିଗିଡ଼ା କୋହ
କଣା ମାଠିଆରେ ଆଙ୍ଗୁଳି ରଖିଛି
ବାକି ଜୀବନ କି ବଞ୍ଚି ରହି ଯିବ।।
ଭୁଲି ଯାଅ ମୋତେ ନାହିଁ ଅବଶୋଷ
ମାତ୍ର ସମୟ ର ପ୍ରତିବିମ୍ବ ସମ
ଯେବେ ଦେଖିବ ନିଜକୁ ଆଇନା ରେ
ଖୋଜି ପାଇ ଯିବ ପରିଚୟ ତୁମ
କେଶ ରଙ୍ଗେଇଲେ ଢଙ୍ଗେ ହେବ କିବା
ପାଚିଲା ବୟସ ଧାରା ପଡି ଯିବ।
ତୃପ୍ତ ଅନୁଭୂତି ଏକ ମୁହୂର୍ତ୍ତର
ଜୀବନ ର ଧାରା ହୋଇ ବହି ଯିବ।।