ଅନ୍ତର୍ଦାହ
ଅନ୍ତର୍ଦାହ
ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି
ମନ କଷ୍ଟ କିଏ ଜାଣେ
ହୃଦ ଗହ୍ଵରର ଅଦେଖା ଯନ୍ତ୍ରଣା
ଯିଏ ଭୋଗେ ସିଏ ଜାଣେ।
ଜଣେ କେହି ନାହିଁ ଏହି ଦୁନିଆଁରେ
ବେଦନାରେ ଜଳି ନାହିଁ
ନା ଜଣେ କିଏ ଅଛି କହିକି ପାରିବ
ଦୁଃଖ ସ୍ପର୍ଶ ପାଇନାହିଁ?
ଯଦି ଅନୁଭବେ ଦୁଃଖ ମାଡି ବସେ
ଗିରି ସମ ମେରୁ ହୋଇ
ତଥାପି କିଛିଟା ଆତ୍ମାନୁଚିନ୍ତନେ
ବୋଝ ଯାଏ ହାଲ୍କା ହୋଇ।
ଅନ୍ତର୍ଦାହ କିନ୍ତୁ ଏମିତି ଅସହ୍ୟ-
ଜ୍ଵଳନର ଅଗ୍ନି ଶିଖା
ଲିଭେ ନାହିଁ ଯେତେ ପ୍ରତିକାର କିମ୍ବା
କଲେ ଯେତେ ଜଳ ବର୍ଷା।
ଅନ୍ତରର ଯେଉଁ ଅକୁହା ବେଦନା
କିଏ ବା ବୁଝିପାରିବ
ନିଜ ଘାଆ ଜ୍ଵାଳା ସେହିରୋଗୀ ଛଡ଼ା
ଆଉ ବା କିଏ ଜାଣିବ?
ଘାଆକୁ ମଲମ ବାଆକୁ ବତା ଯେ
ଚୂଳକୁ ଲୋଡ଼ା ପାନିଆ
ଦୁଃଖ ଯନ୍ତ୍ରଣାକୁ ଆଶ୍ୱାସନା ପଦେ
ସେଇ ଶବ୍ଦ ହେଲା ଆହା।
ଆହା ପଦକରେ ରାହା ଟିକେ ମିଳେ
ସାହା ଅଛି କେହି ଲାଗେ
କାହାର ଆତ୍ମୀୟ ଭାବ ପ୍ରକାଶରେ
କୋହ ଆସେ ଅନୁଭବେ।
ଦୁଃଖକୁ ବାଣ୍ଟିଲେ ଆପଣା ଜନରେ
କିଛିଟା ଲାଘବ ହୁଏ
ଦୁନିଆଁ ହାଟରେ ବଞ୍ଚିବା ପାଇଁ କି
ଯଦିବା ମନ ବଳାଏ।
ତଥାପି କଷ୍ଟର କିଭଳି ସୁଆଦ
ଯିଏ ଭୋଗେ ସିଏ ଜାଣେ
କିନ୍ତୁ ଜାଣିପାରେ ସେ ଦୁଃଖକୁ ବେଶୀ
ଦୁନିଆଁରେ ଅଛି ଜଣେ।
ସିଏ ଆଉ କେହି ନୁହେଁ ହେ ସୁଜନେ
ସେଇ ପରା ଆମ ମାଆ
ପୁଅ ମୁଣ୍ଡେ ଟିକେ ଧୂଳି ପଡି ଗଲେ
ତାକୁ ବଜ୍ର ସମ ଯାହା।
ଦୁନିଆଁ ବୁକୁରେ ସବୁଠୁଁ ଆପଣା
ସେଇ ତ ଆମରି ମାଆ
କୋଟିଏ ଚିକିତ୍ସା ହାରେ ଯା ପାଖରେ
ସଞ୍ଜିବନୀ ତାର ଛୁଆଁ।
ଅନ୍ତର୍ଦାହ ଲେଲିହାନ ଅଗ୍ନି ଶିଖା
ସେ ଏକା ଲିଭାଇପାରେ
ତାହା ବିନା ଆଉ ଯିଏ ହୋଇଥାଉ
ଅଭିନୟ କରି ପାରେ।