ଅନ୍ତରାତ୍ମା
ଅନ୍ତରାତ୍ମା
ତୁ ହିସାବ କରିଦେ
ନିଜ ହିସାବ ଖାତାରେ
ତୁ ନିକାସ କରିଦେ
ଟିପା ପକେଟ ଖାତାରେ
ତୁ ଲୁଚେଇ ଲେଖିଦେ
ମୋଟା ବନ୍ଧେଇ ଖାତାରେ
ତୁ ଗାରେଇ ରଖିଦେ
ହାତ ବାକ୍ସ ତଳ ଥାକରେ
ତୁ ଝୁଲେଇ ଦେଖି ଦେ
ଅଣ୍ଟାସୁତା ମୂଳରେ
ହାଏ ରେ ହାୟ !
ଡର ନା ଭୟ !
କିନ୍ତୁ ଯାହା ଗଚ୍ଛିଲେ ବି
ପରନ୍ତୁ ଯାହା କରିଲେ ବି
ଅଧିକନ୍ତୁ ଯାହା ଲୁଚେଇଲେ ବି
ଈଶ୍ଵର ହିସାବ ରଖିଛି ବିଶ୍ଵର
ନିଜ ହିସାବରେ
ପ୍ରଭୁ ଲେଖି ରଖିଛି ସବୁ
ନିଜ ଡାଇରୀରେ ।
ଜୀବନରେ ଆମେ ସବୁ କ୍ରୀଡନକ
ହେଉ ଖାଲି ବକ ବକ
ଧାଁ ଧପଡ଼ ଭିତରେ ମିଛ ଅଭିନୟ
ଦେଖାଉ ଛଇ ଛଟକ ।
କେତେ ଠିକ୍ କେତେ ଭୁଲ
କେତେ ଝାଳ କେତେ ମୂଲ
କେତେ ପାପ କେତେ ପୁଣ୍ୟ
କେତେ ଦାନ କେତେ ମାନ୍ୟ ।
କେବେ କରିଛେ ଲୁଚିଛପି
ବୁଦ୍ଧିର ଟୋପି ତଳେ
କେତେ ଲୁଟିଛେ ମାପିଚୁପି
ଶକ୍ତିର ବାହୁବଳେ ।
ଦୁଇଜଣ ଜାଣନ୍ତି ଟିକିନିକି
ଜଣେ ପରମାତ୍ମା
ଆମ ଭିତରେ ବସାବାନ୍ଧିଛି
ଅନ୍ୟ ଜଣେ ଅନ୍ତରାତ୍ମା ।
