ଅଣସର
ଅଣସର
ଲୋକାଚାର ବିଧି ଏହି ଜଗତେ ଦର୍ଶାଇ
ସୁନା କୂଅ ଜଳ ନିଜ ମଥାନେ ବର୍ଷାଇ ,
ମନ୍ତ୍ରସ୍ନାନେ ଦାରୁବ୍ରହ୍ମ ହେଲେ କି ପ୍ରସନ୍ନ
ସ୍ନାନ ପୂର୍ଣ୍ଣିମାରେ ଦେଲେ ଭକତେ ଦର୍ଶନ ।
ସଙ୍ଗେ ହୋଇଥିଲେ ବିଜେ ଅଗ୍ରଜ ବଳିଆ
ଭଗ୍ନୀ ଭଦ୍ରା ସୁଦର୍ଶନ ପ୍ରହରୀ ଭଳିଆ ,
ଇନ୍ଦ୍ରଦେବ ଛେରା ପାଣି କରିଲେ ବର୍ଷଣ
ସ୍ନାନ ମଣ୍ଡପରେ ଆସି ଦେଲେ ତ ଦର୍ଶନ ।
ଦେଖ କୋଟି ନରନାରୀ ଭକ୍ତଭାବରସ
ପ୍ରଭୁ ଦରଶନ ଆଶେ ଅତୀବ ହରଷ ,
ସ୍ନାନବେଦୀ ନିକଟରେ ଏକଠାବେ ଉଭା
ପଣ୍ଡା ପରିହାରୀ ସହ ସେବାକାରୀ ଯୁବା ।
ପାଟସୂତ୍ରେ ଠାକୁରଙ୍କୁ କରାଇ ବନ୍ଧନ
ଯଶଗାନ ସାଥେ ମିଶି କରିଲେ ବନ୍ଦନ ,
ବାନ୍ଧିଥିଲେ ଯଶୋମତୀ ଦ୍ବାପରରେ ଦିନେ
ଆଜି ଦେଖ ବନ୍ଧାହେଲେ ପ୍ରତିବାଦ ବିନେ ।
ଏତେ ବଡ ଦେବତା ସେ ଶାନ୍ତଶୀଳ ପରି
ନିଶ୍ଚଳ ରହିଲେ ସ୍ନେହେ ଆଶୀର୍ବାଦ କରି ,
ଗନ୍ଧ ଚନ୍ଦନର ଲେପ ବୋଳାଇ ଶରୀରେ
ଗ୍ରୀଷ୍ମତାପ ନିବାରିଲେ ସୁଶୀତଳ ନୀରେ ।
ପ୍ରଥମରେ ଗଜବେଶ କଲେ ଯା' ଧାରଣ
ସର୍ବ କାର୍ଯ୍ୟ ଆରମ୍ଭରେ କୁଶଳ କାରଣ ,
ଅର୍ଚ୍ଚନାରେ ବ୍ୟସ୍ତ ବିପ୍ର ଭଟ୍ଟ ଗଜପତି
ବିହ୍ବଳେ ମଉନ ଦେଖ କମଳାଙ୍କ ପତି ।
ଆଦ୍ୟେ ଗଣନାଥ ରୂପ କରନ୍ତେ ଧାରଣ
ଦର୍ଶନ ମାତ୍ରକେ ହେବ ପତିତ ତାରଣ ,
ଅତ୍ୟନ୍ତ ଦୁର୍ଲଭ ବେଶ ହୋଇ ଆମ ପାଇଁ
ମାନବୀୟ ଲୀଳା କଲେ ଜଗତର ସାଇଁ ।
ଭକ୍ତ ମନବାଞ୍ଛା ଜାଣି ସଙ୍ଗତେ ସୋଦର
ଘେନି ଉପସ୍ଥିତ ଆଜି ହରି ଦାମୋଦର ,
ଏତେ ବିଧି ସତ୍ତ୍ୱେ ସଦା ରହିବେ ପ୍ରସନ୍ନ
ଅଣସର ବାସେ ନୋହି ତିଳେ ଅବସନ୍ନ ।
ଜ୍ଵର ଭୋଗ ହେବ ବୋଲି ପନ୍ଦର ଦିବସ
ଦର୍ଶନ ଅଭାବେ ଲୋକେ ରହିବେ ବିବଶ ,
ପରିଶେଷେ ଜଡିବୁଟି ସେବନ କି କରି
ବ୍ୟାଧିମୁକ୍ତ ହେବେ ସ୍ବୟଂ ଔଷଧୀଶ ହରି ।
ଫୁଲୁରୀ ତଇଳ ଆଦି ମାର୍ଜନାର ପରେ
ଆୟୁର୍ବେଦେ ଛାଡିଯିବ ଅଙ୍ଗପ୍ରାସ ଖରେ ,
ନବଯଉବନ ବେଳ ଆସିଗଲେ ଫେରି
ମଥାରେ ଶୋହିବ ପୁଣି ତୁଳସୀର କେରି ।
ଆଗ ଭଳି ଜନ୍ମବେଦୀ ଦରଶନ ଅର୍ଥେ
ଯାତ ଆରମ୍ଭିବେ ବସି ନନ୍ଦିଘୋଷ ରଥେ ,
ଲାଗି ଯିବ ବଡ଼ଦାଣ୍ଡେ ଲୋକଙ୍କ ଗହଳି
ବାଦ୍ୟ ତାନ ସଙ୍ଗେ ସତେ ପଡ଼ିବ ଚହଳି ।
ଅଦୃଷ୍ଟର ପ୍ରଭାବରେ ଭୟଭୀତ ଲୋକେ
ବାହୁଥିବେ ତିନିରଥ ପୁରୀବାସୀ ଥୋକେ ,
ମହାମାରୀ ଭୂତାଣୁର ଆତଙ୍କ ଏ' ନାଶି
ସଙ୍କଟରୁ ରକ୍ଷା କର ଆହେ ବ୍ରହ୍ମରାଶି ।
ଆଷାଢ ଶୁକ୍ଳର ସେହି ଦ୍ଵିତୀୟା ତିଥିରେ
ଉଛୁଳି ଉଠିବ ପୁରୀ ବିଶେଷ ରୀତିରେ ,
କାଳିଆ ଠାକୁର ପାଶେ ଆମ୍ଭର ଭଣତି
ପଦ୍ମପାଦ ତଳେ ବାଢ଼ି କୋଟିଏ ପ୍ରଣତି ।