ଅନ୍ନଦାତା
ଅନ୍ନଦାତା
ମାଟି ସାଥେ ସିଏ ମାଟି ହେଉଥାଏ
ବୁଣି ତା ମିଠା ସପନ,
ସଭିଙ୍କ ମୁହଁରେ ଭରିଦିଏ ହସ
ଅମୂଲ୍ୟ ତାହାରି ଦାନ,
ଜୟ ମୋ ଭାଇ କିସାନ
ସେ ଅଟନ୍ତି ପରା ଆମ ଅନ୍ନଦାତା
ଶ୍ରେଷ୍ଠ ଏ ଜଗତେ ଜାଣ ।।
ଚାଷକରି ଚଷା ଘରେ ଖୁସି ଭରେ
ଫଳଶସ୍ୟେ ପୂର୍ଣ୍ଣ ଘର,
ମନଇଚ୍ଛା ଖାଇ ହାତଖୋଲା ଦାନେ
ଉଠେ ଖୁସିର ଜୁଆର,
ଝଡ଼ ବତାସକୁ ନାହିଁ ଡ଼ର
ସଭିଙ୍କୁ ସଙ୍ଗାତ ମିତ ପ୍ରାୟ ଚଳି
ବଢାଏ ପାଦ ତାହାର ।।
ବଦଳିଛି ଦେଶ ବଦଳିଛି ଚାଷ
ବଦଳିଗଲା ତ ମନ,
ଚାଷଜମି ସବୁ ପଡିଆ ପଡିଛି
କ୍ଷେତ ସବୁ ଶସ୍ୟ ଶୂନ୍ୟ,
ଚାଷୀ କରିଚାଲେ ଋଣ
ପ୍ରାକୃତିକ ବିପର୍ଯ୍ୟୟ ଦୋହଲାଇ
ଭାଙ୍ଗିଦିଏ ଅଣ୍ଟା ପୁଣ ।।
ମାଗଣାରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ବସି ବସି ପାଇଗଲା,
ମାଟି ହୋଇ କ୍ଷେତେ ବଳଦ ପରିକା
ଖଟିବା ବେକାର ହେଲା,
ଗଧ ପରି ବୋହୁଥିଲା
ଦୁଆର ମୁହଁରେ ହାତ ପାହାନ୍ତାରେ
ପାଇ କ୍ଷେତ ଭୁଲିଗଲା ।।
କ୍ଷେତ ବି କାନ୍ଦୁଛି କ୍ଷେତକୁ ତ ଚାହିଁ
ବାଡ଼ ଉପହାସ କରେ,
ବିଷଖାଇ ସର୍ବେ ହେଲେଣି ବିଷାକ୍ତ
କେ ପଚାଶ ଟପି ନପାରେ,
ମଧୁବାଣୀ ନାହିଁ କା'ରେ
ହିଡ଼ ମୁଣ୍ଡେ ବସି ଛ'କୋଡି ଜେଜେର
ନୟନୁ ଲୋତକ ଝରେ ।।
ଗାଈଗୋରୁ ଏବେ କଂସେଇ ଖାନାରେ
ଆଦର୍ଶ ଗୁହାଳ ଠିଆ,
ଖତର ଗାଡିଆ ଜଳଜଳ କରି
ଚାହିଁଛନ୍ତି କରି ଆଁ,
କୋଦାଳ, ଶାବଳ,କୋଡି
ମହି,ଜୁଆଳି,ଲଙ୍ଗଳ,ଖୁରୁପିଙ୍କ
ହସୁଛନ୍ତି ହୋଇ ହା' ହା' ।।
ଧୋବ ଫରଫର ଚାଉଳ ପାଇଁ କି
ଲମ୍ବା ଦେଖ ଲାଗିଛି,
ପେଟେ ନାଲିପାଣି ପକେଇ ଗାଁ ମୁଣ୍ଡେ
ତାସ୍ ପାଲି ଖଟି ଜମୁଛି,
ଟୁଙ୍ଗିରେ ତାଲା ଝୁଲୁଛି
ଚାଲ ଦେଖିଥିବା କୃଷି ଉପକରଣ
ବିଜ୍ଞାନାଗାରରେ ରହିଛି ।।
