ଅନ୍ନ ଦାତାର ଅନ୍ତସ୍ବର
ଅନ୍ନ ଦାତାର ଅନ୍ତସ୍ବର
ଅନ୍ନଦାତାର ଅନ୍ତସ୍ବର ଆଜି
ଲାଗୁଅଛି ଫିକା ଫିକା
ଯାହାକୁ ନିଜର ବୋଲି ଭାବୁ ଥିଲା
ସିଏ ଦେଲା ଆଜି ଧୋକା ।
କାହାକୁ କହିବ ଏ ଦୁଃଖ କାହାଣୀ
ମରମ ତଳର ବ୍ୟଥା
ନିଜର ସନ୍ତାନ କାଳ ଫାଶ ସାଜେ
ଲାଜେ ନଇଁ ଯାଏ ମଥା ।
ନିଜେ ସେ ଓପାସ ରହି ଖୋଇଥିଲା
ତାକୁ ପାଠ ପଢେଇଲା
ସେଇ ପୁଅ ଯେବେ ଚାକିରି କରିଲା
ଠକର ଉପାଧି ଦେଲା ।
କାମ ଧନ୍ଦା ନାହିଁ ଘରେ ବସି ଖାଲି
ମୋ ଖାଇବା ଗିଳୁ ଥାଆ
କୁଟାକୁ ଦିଖଣ୍ଡ କରିବୁନି ଯଦି
ମୋ ଘରୁ ବାହାରି ଯାଆ ।
ତୋତେ ପୋଷିବାକୁ ବଳ ନାହିଁ ମୋର
ମୋ ପାଖେ ଚାଉଳ ନାହିଁ
ଟିମା ଟିମା ଆଖି ଫୁଟେଇ ତୋ ଦେବି
ଅନ୍ଧ ହେଇ ଯିବୁ ତୁହି ।
ଘର ଘର ବୁଲି ଭିକ ତୁ ମାଗୁବୁ
ଖାଇ ଦାଣ୍ଡରେ ଶୋଇବୁ
ସତ କହୁଅଛି ମୋ ଘର ଦୁଆର
ଆଉ କେବେ ନ ମାଡିବୁ ।
କେତେ ବୃଦ୍ଧାଶ୍ରମ ଆମ ରାଜ୍ୟେ ଅଛି
ସେଠାକୁ ଯାଉନୁ କାହିଁ
ତୋ ଯୋଗୁଁ କେତେ ଅଯଥା ଖର୍ଚ୍ଚାନ୍ତ
ହେଉଛି ଜାଣିଛି ମୁହିଁ ।
ଅନ୍ନ ଦିଏ ଯିଏ ସିଏ ଅନ୍ନଦାତା
ସେ ପଦବୀ ଲୋଡା ନାହିଁ
ରାତି ପାହିଗଲେ ମୋର ଘର ଛାଡି
ପଳେଇ ଯିବୁ ତୁ କାହିଁ ।
ତୋତେ ଦେଖି ଦେଲେ ମୋ ରାଗ ବଢୁଛି
ଖଟି ମୁଲିଆଟି ତୁହି
ପାଠ ପଢି ଦେଖ ଆଖି ବଡ କରି
ହାକିମ ହେଇଛି ମୁହିଁ ।
ଏଇ ହାକିମଟି କେମିତି ହେଉଛୁ
ଜାଣିଛୁ ତୁ ମୋର ଧନ
ପର ଘରେ ମୂଲ ଲାଗି ତୋତେ ମୁହିଁ
ଦେଇଛି ଏତେ ସମ୍ମାନ ।
କି ସମ୍ମାନ ତୁ ମୋତେରେ ଦେଉଛୁ
ଏହାତ କର୍ତ୍ତବ୍ୟ ତୋର
ବାପା ହେବା କଣ ସହଜ ଭାବିଛୁ
ମାଗୁଛୁ ମୂଲ ତାହାର ।
ଦେଉଛି ସେ ମୂଲ ହାତରେ ତୁ ଧର
ଏଇ ଘରୁ ଚାଲି ଯିବୁ
କୋଉଠି ଯେମିତି କେବେବି ମୋ ବାପା
ପରିତୟ ତୁ ନ ଦେବୁ ।
ହାତରେ ପଚାଶ ଟଙ୍କ ସେ ଧରେଇ
କବାଟକୁ କିଳି ଦେଲା
ରାତି ପାହିଗଲା ସକାଳ ହୋଇଲା
ଶବ ତାର ମିଳି ଗଲା ।
ନିଜେ ଦୁଃଖ ସହି ଆଖି ଲୁହ ପିଇ
ଗଲା ସେ ଶମନ ପୁର
ସାରା ମୂଲକରେ ଚର୍ଚ୍ଚିତ ହୋଇଲା
ଅନ୍ନଦାତା ଅନ୍ତସ୍ବର ।
