ଅନେକ ଡାକରା
ଅନେକ ଡାକରା
ସୁପ୍ତ ମନ ସୁଷୁପ୍ତ ଶରୀର ,
ଶବ୍ଦ ସବୁ ଗୁହାଳରେ ବନ୍ଧା ,
ହଲ ଚଲ ହୁଏ ନାହିଁ ମନ ପ୍ରାଣ
ଯେତେ ଡାକିଲେ ବି ,
ପ୍ରଭାବ ବିହୀନ ଏଠି ସମସ୍ତ ଡାକରା !
ଜୀବନ କି କୁମ୍ଭ କର୍ଣ୍ଣ
ଶ୍ରବଣ କି ଅବରୁଦ୍ଧ ଅନ୍ଧ କାରାଗାର ,
ଆକାଶ ପୃଥିବୀ ଫାଟେ ଘନ ଘନ
ଦୁନ୍ଦୁଭି ନାଦରେ ,
ତଥାପି ନିଷ୍ପଂଦ ଏଠି ଜୀବନ ବିଚରା !
କେତେ ଆଉ ଆର୍ତ୍ତନାଦ ,
କେତେ ଆଉ ବୁକୁ ଫଟା କରୁଣ କ୍ରଂଦନ
କେତେ ଆଉ ଜାଗୃତିର ଶଙ୍ଖନାଦ ହେବ
କେତେ ଆଉ ବାଜିବ ଏ ଜାଗରଣ
ଉଦଂଡ ନାଗରା !
ସମସ୍ତେ କି ଅଂଧ ଧୃତରାଷ୍ଟ୍ର
ସମସ୍ତେ କି ନୀରବ ଗାଂଧାରୀ
ସମସ୍ତେ କି ପ୍ରତିକ୍ରିୟା ହୀନ ଗଂଗା ପୁତ୍ର
ସମସ୍ତେ କି ସୂତ ପୁତ୍ର କର୍ଣ୍ଣ ଧନୁର୍ଦ୍ଧାରୀ !
ଗୀତା ଖାଲି ଅର୍ଜୁନ ନିମନ୍ତେ
ଯୁଦ୍ଧ ଖାଲି ଯାଜ୍ଞସେନୀ ପାଇଁ
ଦୁଃଶାସନ ଜାନୁ ଭଂଗ ଭାଙ୍ଗେନା ତ
ଦୁରାଚାର ବୀଭତ୍ସ ବର୍ତ୍ତନୀ
ଆଜି ବି ସେ କୁରୁକ୍ଷେତ୍ର
ଆଜି ବି ସେ ମୁକ୍ତକେଶା
ନାରୀ ଯାଜ୍ଞସେନୀ !
କେବେ କିଏ ଶୁଣିବ ସେ ଡାକରା କର୍ଣ୍ଣରେ
କେବେ ପୁଣି ଆଉ ଏକ କୃଷ୍ଣ ଓ ଅର୍ଜୁନ
ଦେଖିବ ଏ ଦୁଃସ୍ଥ ବସୁଂଧରା ,
ବ୍ୟର୍ଥ ତ ହେଇନି କେବେ
କାର ଆର୍ତ୍ତନାଦ
ବ୍ୟର୍ଥ କେବେ ହେବ ନାହିଁ ଅନେକ ଡାକରା !