କିଏ ସିଏ ରେ .....
କିଏ ସିଏ ରେ .....
*******
କିଏ ବିଂଚେ ଚୁନା ଚୁନା ସୁନା ଖରା
କେ ଝରାଇ ଦିଏ ବୁଂଦା ବୁଂଦା ବାରି
କେ ଫୁଟାଇ ଦିଏ କଂଟା ଦେହେ ଫୁଲ
କେ ଉଠାଏ ଜହ୍ନ ଆସିଲେ ଶର୍ବରୀ !
କିଏ ବୁହାଉଛି ଶୀତଳ ସମୀର
ଧୀରେ ଧୀରେ ମୃଦୁ ମଂଦ ଗଂଧ ଭରି,
କିଏ ମଲ୍ଲୀ ମାଳେ ସଜାଇ ଦେଉଛି
ମଧୁର ମାଧବୀ ରାତ୍ରିର କବରୀ !
କିଏ ବଜାଉଛି ତାରାର ସିତାର
କିଏ ନଚାଉଛି ନଦୀରେ ଲହରୀ
କିଏ ଡାକୁ ଅଛି ନଦୀ ସେପାରିରୁ
ବିଜନ ବେଳାରେ ବଜାଇ ବାଂଶୁରୀ !
କିଏ ନୀଳ ନଭେ ଉଡାଇ ବିହଂଗ
କହେ ଆସ ଯିବା ଜହ୍ନେ ଘର କରି
କଳା ମେଘ ବୁକେ ବିଜୁଳି ଚମକେ
କଳା କୁଂତଳରେ ସୁନା ଫୁଲ ପରି !
ଦୁନିଆ ଲାଗୁଛି ଚିତ୍ରପଟ ଟିଏ
କେ ରଖି ଦେଇଛି ଚିତ୍ରାଂକନ କରି
ରଂଗେ ରୂପେ ଅପରୂପ ଅନୁପମ
ସରଗ ସୁଷମା ହେବ ନାହିଁ ସରି !
ଆନଂଦ ଭବନ ଲାଗେ ଏ ଭୁବନ
ସ୍ୱର୍ଗୀୟ ସଂପଦ ରହିଅଛି ଭରି
ଦୁଃଖ ଦୈନ୍ୟ ଏଠି ଥିଲେ ବି ନଗଣ୍ୟ
ଧନ୍ୟ ଏଠି ଜୀବ ଜନ୍ମ ଲାଭ କରି !
