ଅନ୍ଧାରକଣା
ଅନ୍ଧାରକଣା
କଷ୍ଟ କଷଣ ନୁହେଁ ଅକାରଣ
ସଘନ ବେଭଷଣ ଜାଣ
ଦୁଃଖରେ ଶୋକରେ ଆଚରଣ
ଅଭିଜ୍ଞତାରେ ପୂରେ ମାଣ ।
ଶୋଷଣ ମାରଣ ହିଁ କୁହୁଳାଏ
ମନେ ମନେ ବିଦ୍ରୋହ ବହ୍ନି
ପରିବର୍ତ୍ତନର ବାର୍ତ୍ତା ଶୁଣାଏ
ଅନ୍ତର ତଳର ବେଦନା ବାଡବାଗ୍ନୀ ।
ଲାଞ୍ଛନା ତାଡନା ନ ସହିଲେ ବିଡ଼ମ୍ବନା
ଯୁଦ୍ଧର ଡାକରା ନାଗରା
ମୁଣ୍ଡ କାଟିଯାଉ ପଛେ କଥା କାଟନା
ଶୋଣିତ ଭଣ୍ଡାର ଆସରା ।
ଏମନ୍ତ ଜୀବନ ନିଃସଙ୍ଗ ଯୌବନ
ହଳାହଳ ମଧ୍ୟେ ଆଲୁଅ ଫାଳେ
ବ୍ୟସ୍ତତା ଭିତରେ ସ୍ଥିରତା ପହଁରେ
ମନ ମରିଚିକା ଧାଇଁ ଅଣ୍ଡାଳେ ।
କଳହ ଗଞ୍ଜଣା ଶରଶଯ୍ୟା ଯନ୍ତ୍ରଣା
ଉପଶମ ହେବ କିପରି ?
ଛିଦ୍ର ଖୋଜୁ ଖୋଜୁ ଚିତ୍ର ଦିଶିଯାଏ
ପାଦ ତଳୁ ଧସିଯାଏ ଧରିତ୍ରୀ ।
ଗଙ୍ଗଶିଉଳୀ ଜୀବନ ଶର୍ବରୀ ସପନ
ଏତେ ଗର୍ବ ଦମ୍ଭ ଅଭିମାନ
କ୍ଷଣଭଙ୍ଗୁର ଆୟୁଷ କ୍ଷଣିକ ପୀଯୁଷ
ଯୋଡି ଯାଏ ସବୁ ଭଙ୍ଗାମନ ।
ଆଖିର ପଲକ କ୍ଷଣିକ ଝଲକ
ପାଦତଳେ ବିଛି ପଡ଼େ ସ୍ପର୍ଗସୁଖ
କାହିଁକି ସିଆଣା ସାଜେ ଅନ୍ଧାରକଣା
ମୂଢ ମଣିଷର ମୂଖ ମୟୂଖ ।
ଛାଡିବାକୁ ହେବ ତ୍ୟାଗିବାକୁ ହେବ
ଅନ୍ଧ ମାନସିକତାର କୁହେଳିକା
ଖୋଳପା ଖୋଳସୁ ମୁକ୍ତ ହେବା ସର୍ବେ
ଚିନ୍ତା ଚିନ୍ତନରେ ଶୁଭ କଳସ ଶିକା ।
