ଅନ୍ଧାଧୁନିକ
ଅନ୍ଧାଧୁନିକ
ମାତିଛୁ ଆମେ ଅମୁହାଁ
ଅଫେରା ପ୍ରତିଯୋଗିତାରେ
ଭୁଲିଛୁ ମଣିଷପଣିଆ
ପଡି ଯାନ୍ତ୍ରିକ ମୋହରେ l
ବନ୍ଧା ପଡିଛି ଆମ ସ୍ୱାଭିମାନ
କେଇଟା ମୁଦ୍ରାର ବିନିମୟରେ
ବିକିଛୁ ମସ୍ତିଷ୍କ ମସ୍ତକ
ପଡୋଶୀ ବିଦେଶୀ ମୁଲକରେ l
ଖଟୁଛୁ ଦାଦନ ପରଘରେ
ଅସୀମ ଅପାର ଆନନ୍ଦରେ
ପୋଶିଛୁ ନାନାଦି ବ୍ଯାଧି
ଆପଣା ଚହଟ ଚିକ୍କଣ ଶରୀରରେ l
ଅହର୍ନିଶି ରସୁଛୁ ମନ ପ୍ରାଣ
ପିଜା ବର୍ଗର୍ ନୁଡୁଲସ୍ ବିଷରେ
ଶୁଆ ପରି ରଟୁଛୁ ପରଭାଷା
ସ୍ଥାନ କାଳ ପାତ୍ର ନିର୍ବିଶେଷରେ l
କରିଛୁ ଅଣଦେଖା ଭିଟାମାଟିର ଭିଜାବାସ୍ନା
କର୍ମ ସଂସ୍ଥାନ ଅନ୍ବେଷଣରେ
ପର ହୋଇଯାଇଛି ପଖାଳ କଂସା
ସମୟ ନଦୀର କରାଳ ସ୍ରୋତରେ l
ମେଣ୍ଟୁଛି ମନର ଅତୃପ୍ତ ତୃଷ୍ଣା
ସୁରା ଓ ସାକୀର ସାହାରାରେ
ପାଶେ ନାହିଁ କେହି ଆପଣାର
ତୋଳିନେବା ପାଇଁ ପଣତକାନିରେ l
ଅନ୍ତରାତ୍ମା ଦଗ୍ଧ ହେଉଛି ଅବାରିତ
ଯତ କିଞ୍ଚିତ ବିବେକର ଦଂଶନରେ
ତଥାପି ଧାଇଁବାକୁ ପଡୁଛି ବାଧ୍ଯରେ
ଜୀବନର ଅଦୃଷ୍ଟ ଅଘୋଷିତ ଦୌଡ଼ରେ ll
