ଅନାମଧେୟ
ଅନାମଧେୟ
ପ୍ରଥମ ପ୍ରେମ
ଦୀପାବଳିର ଅମା ଅନ୍ଧକାରେ
ଆଲୋକିତ କରୁଥିବା
ଜ୍ୱଳନ୍ତ ପ୍ରଦୀପଟିଏ
ଥିଲାକି ସେ ସ୍ୱପ୍ନ
ଅବା ଧୂଆଁଳିଆ ବାସ୍ତବତା
ଚଳଚିତ୍ରର ଅତିଥି ଚରିତ୍ର ପରି
ଆସି ଚାଲିଯାଏ
ସତେକି ନବ ଜଳଧର ମଧ୍ୟରେ
ବିଜୁଳିର ଭେଳା
ପୁଲକିତ କରିଦିଏ
କାୟା ଆଉ ମନ
ଉତ୍ତପ୍ତ ଖରାବେଳେ
କାକରର ଶୀତଳତା
ହସ କାନ୍ଦର ସମାବେଶ
ହରେଇବାର ଭୟ
ପାଇବାଟା ନଥାଏ ଯହିଁ ଥୟ
ତଥାପି କାହିଁକି ଇଚ୍ଛାହୁଏ
ଦେବାକୁ ଝାସ
ସେ ପ୍ରଳୟଙ୍କରୀ ଅଗ୍ନିରେ
ଜଳିପୋଡି ଛାରଖାର
ହୋଇଯିବାର ଇଚ୍ଛା
ଉଡ଼ନ୍ତା କୀଟ ସମ
ଜାଣତରେ ଆବୋରିବାକୁ
ଦଗ୍ଧର ଜ୍ୱାଳା
ପରିଶେଷରେ ମିଳିଥାଏ
ବିଛେଦର ଅନନ୍ତ ଶାପ
ରହିଯାଏ ସ୍ମୃତିର ପାଉଁଶ
ତଥାପି ମନେ ପଡେ
ପ୍ରଥମ ପ୍ରେମ
ପ୍ରେମର ପ୍ରଥମ ଝଲକ ll