ଅମୃତ ମୟ ଉତ୍କଳ (୫)
ଅମୃତ ମୟ ଉତ୍କଳ (୫)
ଉତ୍କଳ ଜନନୀ ମୋର କାହିଁ ତାର ପଟାନ୍ତର
ଭାରତର ଦିବ୍ୟ ମଥାମଣି
ଏମାଟି ପାଣି ପବନ ଲାଗେ ଅମୃତ ସମାନ
ଗରଭେ ପୁରିତ ରତ୍ନ ଖଣି ।
ବୀରମାଟି ଖୋରଧାର ବଖାଣେ କଥା ଅପାର
ସାକ୍ଷୀ ବରୁଣେଇ ପରବତ
କହୁଛି ପାଇକ ଗାଥା ବଖାଣେ ଅତୀତ କଥା
ଗାଉଅଛି ବୀର ର ବିରତ୍ଵ ।
ବାରବାଟୀ ଦୁର୍ଗ ଆଜି ଉତ୍କଳ ଗୌରବ ରାଜି
ଉଦ୍ଭାସଇ ଜାତି ମହାନତା
ଏତେ ଗରବ ଗରିମା ନାହିଁ ଯାର ପରିସୀମା
ସେହିପରା ମୋ ଉତ୍କଳ ମାତା ।
ବାଜି ରାଉତ ଧରମା ବିପ୍ଳବୀ କି ବିଶ୍ଵକର୍ମା
ରଖିଗଲେ ଅକ୍ଷୟ କୀରତି
ସେକୀର୍ତ୍ତି ଚିରଉଜ୍ଜ୍ୱଳ କରିଛି ସର୍ବେ ବିହ୍ଵଳ
ପ୍ରବାହେ କୀରତି ଭାଗିରଥୀ ।
ଚଉପାଶେ ପ୍ରସାରିତ ପୁଳିନ-କାନନ ଚିତ୍ର
ଅନ୍ତରରେ ସ୍ଫୁରେ ମହାମୃତ
ବ୍ୟାଘ୍ର,ହସ୍ତୀ ବନଚର କରନ୍ତି ସୁଖେ ବିହାର
ବକ୍ଷ ଦେଶେ କୁରଙ୍ଗେ ଶୋଭିତ ।
ଗଙ୍ଗବଂଶ ର ରାଜନ୍ୟ ଜ୍ଵଳନ୍ତ ଗୌରବ ସମ
ମହନୀୟ ପୁରୁଷ ପୁଙ୍ଗବ
ଯାରକୀର୍ତ୍ତି ସମୁଜ୍ଜ୍ଵଳ କରିଛି ଏହି ଉତ୍କଳ
ବର୍ଣ୍ଣନା ମୋ ଭାଷାର-ଅତୀତ ।
ଅମୃତ ଉତ୍କଳ ମାତା କୀର୍ତ୍ତି ରାଜି ଅମୃତ ତା
ଆମେ ତା’ର ଅମୃତ ସନ୍ତାନ
ଅମୃତ ସ୍ମୃତି ସଉଧ ନଭଶ୍ଚୁମ୍ଵି ନାହିଁ କେତ
ଦିଶ ଯଥା ସଜ ଫୁଟା ପଦ୍ମ ।