STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ଅମିୟ ମନ୍ଥନ

ଅମିୟ ମନ୍ଥନ

1 min
300

କବିଟିଏ ମୁହିଁ     ଅନ୍ତରୁ ମୋହର

ଅନେକ ଭାବନା ଝରେ

ପଢିବାକୁ ହୁଏ      ବିବିଧ ସନ୍ଦର୍ଭ

ଅନ୍ୟଙ୍କୁ ବି ଅନୁସରେ

ମନ-ଦର୍ପଣରେ     ସମାଜର ଚିତ୍ର

ଅନୁଭବି ଅବଲୋକେ

ଯାହା ମିଳିଯାଏ    ଆତ୍ମସାତ କରେ

ହର୍ଷ-ଉଲ୍ଲାସ କି ଶୋକେ

ସତ୍ୟର ସନ୍ଧାନେ    ପ୍ରସାରି ନିଜର

ମାନସନବିହଙ୍ଗ ଡେଣା

ହାତ ପାହାନ୍ତାରେ    ପାଇ ଚିପୁଡିଛି

ନିଃସଙ୍କୋଚେ ମହୁଫେଣା

ଉକ୍ତିକୁ କାହାର      ଅଳଙ୍କୃତ କରି

ଭାଷା ଚାତୁର୍ଯ୍ୟର ବଳେ

ପାଠକ ହୃଦୟେ    ସମ୍ବେଦନା ଭରି

ଭିଜାଇଛି ଅଶ୍ରୁଜଳେ

କାବ୍ୟ ଚେତନାରେ   ଭାବ-ସୁବର୍ଣ୍ଣକୁ

ଜାଳିଲେ ବାହାରେ ଖାଦ

ଗୋଚରାଗୋଚରେ  କିୟଦାଂଶ ଏଣୁ

ହୋଇପାରେ ଅନୁବାଦ

ନୀରସ ପାଇଲେ   ପ୍ରୀତିଜଳ ସିଞ୍ଚେ

ମୂଳରେ ଯୋଗାଇ ସାର

କବିତା ଲତାର  ମୂଳେ ରଞ୍ଜା ପୋତି

କରାଏ ତା" ଅଭିସାର

ଉଚ୍ଚାରିବା ଆଗୁ     ଅଜ୍ଞାତ ମୁହଁରୁ

ଛଡାଇ ନେଇଛି କଥା

ଫୁଟିବା ଆଗରୁ     ବୃନ୍ତକୁ ଆଉଁଷି

ଅବନତ କରେ ମଥା

ନବ କାବ୍ୟତତ୍ତ୍ବ    ଅନ୍ବେଷଣ କରେ

ନିତି ସାରସ୍ୱତ ପଥେ

ଶବ୍ଦର ପ୍ରତିମା     ଗଢି ଥୋଉଥାଏ

ସୁହୃଦ ସରାଗ ଅର୍ଥେ

ପୁଞ୍ଜିଭୂତ ମୋର    ଅଜସ୍ର ବ୍ୟଞ୍ଜନ

ଅମିୟ ମନ୍ଥନୁ କାଢ଼ି

ପ୍ରୀତିଅର୍ଘ୍ୟ ତୁଲ୍ୟ  ବାକ୍ୟ-ଦେବୀଙ୍କର

ପୟରେ ଦେଇଛି ବାଢ଼ି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract