ଅମାବାସ୍ୟା
ଅମାବାସ୍ୟା
ସୂର୍ଯ୍ୟ ଚନ୍ଦ୍ରଙ୍କ ଆତଯାତେ ଏ ଧରା
ବର୍ଷଯାକ ହୋଇଥାଏ ଆଲୋକିତ
ପ୍ରତ୍ୟେକ ମାସେ ଅନ୍ଧାର ଆଲୋକ
ଚନ୍ଦ୍ରସୂର୍ଯ୍ୟଙ୍କ ଦ୍ୱାରା ହୋଇଥାଏ ପ୍ରକାଶିତ।।
ଅମାବାସ୍ୟାରେ ସୂର୍ଯ୍ୟଙ୍କ ପ୍ରକାଶ
ଚନ୍ଦ୍ର ଥାଆନ୍ତି ଅନ୍ଧାରେ ଅଧାମାସ
ଜୀବନେ ଯେବେ ଆସେ ଅମାବାସ୍ୟା
ଜ୍ଞାନ ବୁଦ୍ଧି ସବୁ ହୋଇଯାଏ ଶେଷ
ବାଧାବିଘ୍ନ ସବୁ ଆସଇ ରାସ୍ତାରେ
ସ୍ମୃତି ସବୁ ହୋଇଯାଏ ଜୀବନୁ ହ୍ରାସ।।
ଅନ୍ଧାର ହତାଶ ମଧ୍ୟରେ ଜୀବନ
ଅମାବାସ୍ୟା ପରି ଅତି ଭୟଙ୍କର
ନିଜର ମଣିଷ ସଭିଏଁ କରନ୍ତି
ଘୃଣା ଦ୍ୱେଷ ଆଉ ହତାଦର
ବୁଝିବା ମଣିଷ ଯେତେ ବି ବୁଝିଲେ
ଟାଣିଥାନ୍ତି ସମ୍ପର୍କେ ଲକ୍ଷ୍ମଣ ଗାର।।
ଅମାବାସ୍ୟାର ଅମା ଅନ୍ଧକାରେ
ଜୀବନ ହୁଅଇ ନିରାଶ
ଯେଡାଳ ଧରିଲେ ସେଡାଳ ଛିଣ୍ଡଇ
ଜୀବନଟା ହୁଏ ନିରସ
କହିବାକୁ ଯାହା ଇଚ୍ଛା ହିଁ କରଇ
ସବୁରେ ଆସେ ଅବଶୋଷ।।
ସ୍ୱଭାବ ଅଭାବ ବେଗ ଓ ଆବେଗ
ସବୁ ଲାଗେ ଏକା ଏକା
ହୃଦୟ ବେଦନା ଝରିପଡେ ଏଠି
ଜୀବନ ରାସ୍ତାଟା ଦେଇଥାଏ ଧକ୍କା
ଅମାବାସ୍ୟାର ଅନ୍ଧାର ଆସିଲେ
ମନେ ମନେ ହୁଏ ଆଶଙ୍କା।।
