ଅଳସ ଆଖିର ଭିଜା ସପନ
ଅଳସ ଆଖିର ଭିଜା ସପନ
ବୟସ ଗଛର ଶାଖା ପ୍ରଶାଖା ଡାଳେ ପଲ୍ଲବେ ନିତି
ଆଶା ଭାଷାର କଅଁଳିଆ ଗହଳ ସବୁଜ ପତର
କ୍ଳାନ୍ତିର ଖରା ତେଜ ସହି ଛାଇ ଖୋଜେ ବିଶ୍ରାମର
ଘୁମେଇ ପଡ଼େ ଯେବେ ଥକ୍କା ମେଣ୍ଟାଇବାକୁ
ସାଉଁଟି ରଖେ କିଛିଟା ଜୀବନ ଅଭୁଲା ମୁହୂର୍ତ୍ତର
ଆବେଗରେ ଚଳ ଚଞ୍ଚଳ ଭାବ ପ୍ରବଣତାର ମନ
ହରଷେ ସରସେ ଦେଖେ ଅଳସ ଆଖିରେ ଭିଜା ସପନ
ଭାବ ଭାବନାର ଉନ୍ମାଦନା ଭାଙ୍ଗି ଦିଏ ଚିନ୍ତା ଚେତନା
ଶୋଇ ଶୋଇ ଘୁଙ୍ଗୁଡ଼ି ମାରେ ଉଠାପକା ଲହରରେ
ଅଜାଣତରେ କଡ଼ ଲେଉଟାଏ ଉଷୁମ ଶେଜେ
ସପନ ବିଭୋର ଆଖି ଦେଖୁଥାଏ ଅସରନ୍ତି ଦୃଶ୍ୟସବୁ
ଫେଣ୍ଟି ଫେଣ୍ଟି ଜଣା ଅଜଣା ଦେଖା ଅଦେଖାକୁ
କଳ୍ପନାର ଇନ୍ଦ୍ରଜାଲ ମେଲି ତା' ସାଥେ ସଂପର୍କ ବାନ୍ଧେ
ନବ ନବ ଅଭିନବ ପ୍ରକୃତିର ଶୋଭା ସୌନ୍ଦର୍ଯ୍ୟରେ
ହୁଏ ବିମୁଗ୍ଧ ଅବରୁଦ୍ଧ କରି ହୃଦୟର କବାଟ ଝରକା
ରଚେ ଜୀବନ ବୃତ୍ତର ପରିଧି ଅନ୍ତରର ଅନ୍ତର ଭିତରେ
ମନ ରାଇଜରେ ମନେ ମନେ ଭାଳେ ଯା' ଯା'
ଦେଖେ ଅଳସ ଆଖିରେ ଭିଜା ଭିଜା ସପନ ବହୁତ
ବାହ୍ୟ ଜଗତରୁ ମନ ଏକାତ୍ମ ହୋଇ ରହେ ନିବୃତ
ନିଜ ଇଚ୍ଛା ଶକ୍ତି କାମନା ଅଭିଳାଷର ପ୍ରବାହରେ
ସ୍ରୋତସ୍ଵିନୀ ପରି ବହି ଯାଉଥାଏ ଛନ୍ଦେ ଛନ୍ଦେ
ସେ ଭିଜା ସପନରେ ଭିଜି ଭିଜି ଯାଉଥାଏ ମଜି ହଜି
ରଜନୀର ଶେଷେ ଉଇଁ ରବି ଢ଼ାଳି ଦିଏ ତେଜ ଆନନ୍ଦେ
ଜୀବନକୁ ସଜାଡ଼ି ଚଲା ପଥେ ଚାଲେ ପଥ ଖୋଜି
ସପନରୁ ସୃଷ୍ଟି ହୁଏ ବାସ୍ତବତାର ଇପ୍ସିତ ସମ୍ଭାବନା
ରତ ଥାଏ ସତତ କରିବାକୁ ସତ ତା'ର ଯେତେ କଳ୍ପନା
ଶ୍ରମ ସାଧନାର ବ୍ରତରେ ସଫଳତା ପାଇ ହୁଏ ପୂର୍ଣ୍ଣ
ଅଳସ ଆଖିର ଭିଜା ସପନ ଜୀବନର ଏକ ଆହ୍ବାନ।
