STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଲକ୍ଷ୍ୟ ଭ୍ରମଣ

ଅଲକ୍ଷ୍ୟ ଭ୍ରମଣ

1 min
393

କେବେ ଆକାଶରୁ ମାଟିକୁ 

ଓ ପୁଣି ମାଟିରୁ ଆକାଶକୁ

ମୁଁ ଫେରୁଛି ଓ ଫେରି ଚାଲିଛି

କାହିଁ କେତେ କାଳୁ କେଜାଣି କେଉଁଠୁ କେଉଁଠାକୁ !


ନା ମୋ ଭିଟାମାଟିର ଚିତ୍ର ମନେ ଅଛି

ନା କେଉଁ ଠିକଣା ପାଇଛି

ପଛରେ ଅନେକ ଅତୀତ

ଓ ଆଗରେ ଅସରନ୍ତି ଭବିଷ୍ୟତ

ଖାଲି ଯାହା ପଥ ଓ ପାନ୍ଥଶାଳାର

ବିସ୍ମିତ ପ୍ରହେଳିକା ଭିତରେ

ମୁଁ ସାଜିଛି ବାଧ୍ୟ ପଥିକଟିଏ। 


ପୂର୍ଣଛେଦ ଓ ପରିଚ୍ଛେଦର ଭିଡ଼ ଭିତରେ

ମୁଁ ଲମ୍ବିଯାଇଛି ପୃଷ୍ଠା ପରେ ପୃଷ୍ଠା ହୋଇ

କ୍ରମଶଃର ହିଡ ଡେଇଁ ଡେଇଁ

କେବେ ଖୁସିରେ କୁରୁଳି ଉଠିଛି

ପୁଣି ଦୁଃଖରେ ଝାଉଁଳି ପଡ଼ିଛି

କିନ୍ତୁ ମୁଁ ବହିଚାଲିଛି 

ଏକ ଆଦେଖା ତ୍ରିକୋଣ ଭୂମିକୁ

ଢଳଢଳ କବିତାଟେ ହୋଇ। 


ଭ୍ରାମ୍ୟମାଣ ଏ ଜୀବନ ଭିତରେ

ଭ୍ରମି ଭ୍ରମି କ୍ଳାନ୍ତ ହୁଏ ସତ

କିନ୍ତୁ ଭ୍ରମଣର ହୁଏ ନାହିଁ ଅନ୍ତ

ଏକ ପୂର୍ବଯୋଜିତ କେଉଁ ଏକ

ଅଲେଖା ନିର୍ଦ୍ଦେଶନାମାରେ

ମୁଁ ଘୁରି ଚାଲିଛି 

ମାୟା ମୋହ ସ୍ୱାର୍ଥ ସ୍ୱପ୍ନ ଓ

ଅହଙ୍କାରର ଅନ୍ଧପୁଟୁଳି ବାନ୍ଧି

ଶୁନ୍ୟରୁ ଅଲକ୍ଷ୍ୟ ପର୍ଯ୍ୟନ୍ତ। 


ଜାଣିନି କେତେ ବାକି ଅଛି

କିନ୍ତୁ ଲାଗୁଛି ଅନେକ ବାକି ଅଛି

ଚଲା ବାଟ ଫେରିବାକୁ ମୋତେ

ମୁଁ ତ ନିଜେ ଆସି ନଥିଲି

ଓ ମୁଁ ନିଜେ ବି ଫେରୁନି

କିନ୍ତୁ ଜାଣିଛି ମୁଁ ଫେରିଯିବି ନିଶ୍ଚେ

ସେହି ନେବ ଯିଏ ଦିନେ ଆଣିଥିଲା ମୋତେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract