###ଅଲିଭା ଗାଥା##
###ଅଲିଭା ଗାଥା##
ରବିବାରିଆ ହାଟ ଏଠି
ପାଣି କଳମୂଳ ଭିଡ଼, ଶେଷ ମୁଣ୍ଡ ବସ୍ତି
ଲୋକାଲ ଟ୍ରେନ ଧସ୍ତାଧସ୍ତି
ତଥାପି ପଶିଆସ କେମିତି?
ଏକ ସଟକଟ୍ ରାସ୍ତାରେ
ଗ୍ରୀଲ ନ ଥିବା ମୋ ମନ ଝରକାରେ
ଜୋତା ଖୋଲି ଖୁବ ସନ୍ତର୍ପଣରେ
ନାହିଁ ନ ଥିବା ଭିଡ଼ ଭିତରେ।୧।
ପଞ୍ଚେନ୍ଦ୍ରୀୟ ବ୍ୟସ୍ତ ଥାଏ
ମୁଁ ତୁମକୁ ଝୁରୁଥାଏ
ବାସିପାଇଟି ପକାଇଦେଇ
ତୁମ କବିତା ପଢୁଥାଏ
ନୁଆ କିଛି କବିତାର ଅପେକ୍ଷାରେ
ତୁମ ଟାଇମ୍ ଲାଇନ ଘାଣ୍ଟୁଥାଏ
ମନକୁ ଚାଟଶାଳୀର ଅବଧାନ ପାଖେ
ବସାଇଲେ ବି ଚଗଲା ଅଦାଣ୍ଡିଆ ଛୁଆ ପରି
ଚାହାଳୀ ମାଷ୍ଟ୍ରେଙ୍କୁ ଠକିବା ପାଇଁ
ଏକ କେ ଏକ,ଏକ ଦୁଗୁଣେ ଦୁଇ
ପଣିକିଆ ମଗାଉଥାଏ।୨।
ତୁମେ କିବା ମୋପରି, ମୋତେ ଝୁରୁଅଛ
ନା ..ଭୁଲିବାର ପ୍ରୟାସଟି ଜାରି ରଖିଅଛ
ନା,ମାଗିନେବି କିଛି ବୋଲି ଆଡ ହେଉଅଛ
ଏ ଆଖପାଖରେ ଥାଇବି ଉପସ୍ଥିତି ଜଣାଉନ
ମାଗିବିନି ତୁମକୁ ମୁଁ ଖାଉଅଛି ରାଣ
କଥା ଦିଅ ବାଟେଘାଟେ ଦେଖାହେଲେ କେବେ
ନ ଚିହ୍ନିବା ପରି ବୁଲାଇବନି ମୁହଁ
ବନ୍ଧୁ ବୋଲି ଗର୍ବ କରେ ରଖିବ ମୋ ମାନ।୩।
ଏବେ ବି ତୁମର ସେ ଖଟାମିଠା କଥା
ମନେ ଭରେ ଅନେକ ଖୁସି ଆଉ ବ୍ୟଥା
ଝୁରୁଛି ମୁଁ ରାଈକିଶୋରି ପରି
ଛାଡି ସକଳ କାମଧନ୍ଦା
କୃଷ୍ଣଙ୍କୁ ଚାହିଁ ପଚାରିଛି ଥରକୁ ଥର
ଏହା କ'ଣ ସେ ନିରୂତା ପ୍ରେମ?
ତୁମଠୁ ପାଇଥିଲେ ଯାହା ରାଇକିଶୋରୀ ରାଧା।୪।
କାଲି କି କାଲି ଯିବା ଚାଲି
ଆଗପଛ ନ ବିଚାରି
ଏତେ ସବୁ ବିରହ ଆଉ ବ୍ୟଥା
ଧୋଇ କି ପାରିବ ୟାକୁ ଆମ ଅଶ୍ରୁବୁନ୍ଦା
ତା'ହେଲେ....
ତାହେଲେ ଛନ୍ଦକପଟ ପରିହାରି
ସୃଷ୍ଟି କର ନୁଆ ଇତିହାସ ଆଉ ଲେଖ
ଲେଖ ଅମର ପ୍ରେମର ଏକ ଅଲିଭା ଗାଥା।୫।

