STORYMIRROR

Pratima Das

Others

4  

Pratima Das

Others

କଟି କଟି ଡବଲକଟି।

କଟି କଟି ଡବଲକଟି।

1 min
382


ସେ ଅଧା ତିଆରି ଘରେ

କାଠ ଜଳୁ ନଥିବା ଚୂଲି ନଡ଼ିଆ ଷଢେଇରେ

ମୁଁ ରାନ୍ଧୁଥିଲି ବାଲିଗୋଡିର ଭାତଡାଲି ଅତି ଯତନରେ।।

ତୁମେ ଫେରୁଥିଲ ହାଟସଉଦା ସାରି ହାତେ ବେଅଗ ଧରି

ଏଇ ଦେଖ ! ଦେଖି ଚାହିଁ ଚଳ, ଆଜିକାଲି ସବୁ ମହଙ୍ଗା ଭାରି

ପ୍ରେମ ଏଠି ଫିକା ଫିକା,ମିଠା ଜହର ପରି

ସବୁଠୁତ ମହଙ୍ଗା ବେଶୀ :::::ସ୍ନେହ, ପ୍ରେମ, ଶ୍ରଦ୍ଧା ଏଠି

କାହାକୁ କରିବ ଗୁହାରି!!!


ପ୍ରେମରେ ଜୁଡୁବୁଡୁ ହୋଇ କବିତା ଲେଖୁଥିବା କବିଟି ତ

ବୁଲୁଛି ଏଠି ଶୁଖିଲା ଶୂନ୍ୟ ହୃଦୟ ଧରି......

ମିଛି ମିଛିକା ପ୍ରେମ କବିତା ଲେଖୁଥାଏ ଯାହା କାଗଜ ଚିରି ଚିରି।।


ତୁମେ ବ୍ୟସ୍ତଥାଅ ,ମିଛି ମିଛିକା ଖବର ପଢିବାରେ

ବସିଥାଅ ଗଡ଼ଜିଣି ଫେରିଥିବା ମଉଣମଣି ଶୈଳୀରେ

ଜେଜେଙ୍କ ଭଙ୍ଗା ଚଷମା ତଳୁ ମୋତେ ଚାହୁଁଥାଅ ମଝିରେ ମଝିରେ

ନୁଆ ନୁଆ ଶିଖିଥିବା ଛୁଆପ୍ରେମ ଜାହିର କରୁଥାଅ

ଅନଭିଜ୍ଞ ଚାହାଣୀରେ।।


ଆସ ଖାଇବ!!!ଖାଇବା ହେଲାଣି! ମୋ ବୋଉ ଭଳି ଛୋଟ ଡାକରାରେ

ବାଲେତିରୁ ପାଣି ନେଇ,ଜୋରେ ଜୋରେ କୁଳି କରି

ପକାଉଥିଲ ସେ ଅଧା ତିଆରି ଘର କାନ୍ଥରେ

ବସି ଯାଉଥିଲ ଘରୁ ନୁଚାଇ ଆଣିଥିବା ପିଢା ପଟାରେ

ମୁଁ ବାଢ଼ି ଦେଉଥିଲି ବାଲିଗୋଡିର ଡାଲିଭାତ ସାରୁ ପତରରେ

ମୋତେ କିଛି ଖୁଆଇ ଦେଇ ମିଛମିଛରେ ଅତି ସରାଗରେ

ହାକୁଟି ପକାଉଥିଲ ଆତ୍ମତୃପ୍ତିରେ।।


କହୁଥିଲ କିଛି ନଡିଆଖଣ୍ଡ କାଟି ରଖିଛ,କାଜୁ ବି ଥୋଇଛ

କରିବାକୁ ଖିରୀ,

ଦେଲ ଦେଲ କିଛି ଚୋବାଇବି ଶେଷରେ

ଏବେ ସେମିତି ଆସନ୍ତନି ଥରେ

ବାଢି ଦିଅନ୍ତି ସତସତିକା ଭାତଡାଲି ଅତି ଆଦରରେ।।


ଏ ଅଧା ତିଆରି ଘର,ବାଲିଗୋଡି ଭାତଡାଲି, ପ୍ରେମ

ଭୁଲି କେ ପାରେ ସାତ ଜନମରେ

ସେଥିପାଇଁ , ସେଥିପାଇଁ ତ କିଛି ନ ଶିଖାଇଲେ ବି

ବାଳୁତ ପୁଅଟି ବର,ଝିଅଟି କନିଆଁ ହୋଇ ଖେଳନ୍ତି

ବୋହୂ ବୋହୂକା ,ରାନ୍ଧନ୍ତି ଭାତତୂଣ ନଡ଼ିଆ ଷଢେଇରେ।।


କିଛି କାରଣ ନଥାଇ ଆମେ କଟି କଟି ଡବଲକଟି ହୋଇଗଲେ

ଆମ ଅଜାଣତରେ

ଆମ ଚୂଲି, ଷଢେ଼ଇ,ଭଙ୍ଗା ଚଷମା ,ଘର ଗୃହସ୍ଥି ସବୁ ପଡ଼ିଛି

ସେ ଅଧା ତିଆରି ଘରେ

ସେ କଟି ଡବଲକଟି କେବେ ଫିଟିବ କେ ଜାଣେ

କେବଳ ଏତିକି ଭାବେ, ତୁମେ ଡବଲକଟି ଫିଟାଇବାକୁ

ପ୍ରୟାସ ତ କରିପାରି ଥାଅନ୍ତ ଥରେ

ପ୍ରୟାସ ତ କରିଥାନ୍ତ ଥରେ

ନିହାତି ଥରେ।।

                           


Rate this content
Log in