STORYMIRROR

Pratima Das

Others

4  

Pratima Das

Others

****ବିସ୍ମୃତ ***

****ବିସ୍ମୃତ ***

1 min
434


ଆଜିକାଲି ତୁମ ନାଁ'ଟି

ଭୁଲି ହୋଇ ଯାଉଛି

ବହୁତ ଦିନ ଧରି କଥାବାର୍ତ୍ତା, ଯିବାଆସିବା

ନ ରହିଲେ ଏପରି ଭୁଲି ହୋଇ ଯାଏ ବୋଲି

ସେ ଡାକତର ବାବୁଟି କହୁଛି ।

ମୁଁ ଟିକେ ମନକୁ ଚିମୁଟି ଦିଏ

ନାଁ ଟି ଜିଭ ଅଗକୁ ଆସି ଚାଲି ଯାଉଥାଏ

ପୁଣି ଟିକେ ମନକୁ ଉଖୁରାଏ

ନଗେଇଖିଆ କରିବାକୁ ବୋଉ ଲଗାଇଥିବା

ଚୁଲି ଭିତର ପାଉଁଶକୁ ଉଖୁରାଇବା ପରି ।

ଆଲୋ ମା! ଗୁଲ ନିଆଁ ଅଛିକି?

ଗୁଣ୍ଡା ମୁଠେ ପକାଇ ଦେଲୁ

ମୁଁ ଲୁଗା ବଦଳି ଯାଉ ଯାଉ

ନିଆଁ ଢହକି ଯାଇଥିବ ଭାତ ପାଣି ବସିବ

ଭାଇ ଆଉ ତୁ ଖାଇକି  ଯିବ ସ୍କୁଲ ନ ହେଲେ ଉଛୁର ହୋଇଯିବ

ପାଉଁଶତଳର ଦିକଦିକ ଗୁଲନିଆଁ ପରି ତୁମ ନାଁ ଟି

ମନେ ପଡି ବିସ୍ମୃତ ହୋଇ ଯାଉଥାଏ

ମୁଁ କହୁଥାଏ ବୋଉଲୋ, ଆଉ ଚୂଲିରେ ନିଆଁ ନାହିଁ

ତୁ କଣ କରୁଛୁ କରେମୋ ପାଠ ଅଛି

ଷ୍ଟେସନ ଛାଡି ବହୁତ ଦୂର ରେଳଟି ଚାଲିଯାଇ

ଇଂଜିନର ସାମାନ୍ୟ ଶବ୍ଦ ଆସିବା ପରି

ତୁମ ନାମଟି ମନର କେଉଁ ଗମ୍ଭୀରାରେ ଉଁ ଉଁ ହେଉଥାଏ ହେଲେ ମନେ ପଡେନା

ପୁଣି ମେଘତଳେ ଢାଙ୍କି ହେବା ତାରାପରି

ମୁହଁ ଦେଖାଇ ତୁମ ନାମଟି ମନେ ପଡି

ଲୁଚି ଯାଉଥାଏ ।

ଏସବୁ କୁଆଡେ ସ୍ମୃତି ଚାଲିଯିବାର

ଲକ୍ଷଣ ବୋଲି ସେ ଡାକ୍ତର ବାବୁଟି କହୁଛି

ନାଁଟିରେ କଣ ଅଛି ଯେ,

ମନେ ରହୁ ନ ରହୁ

ତୁମେ ତ ମନରେ ଅଛ

ତୁମ ଭାବତ ପ୍ରତି ଶିରାପ୍ରଶିରାରେ

ଆତଯାତ ହେଉଛି

ସେ ନାଁ ଗାଧୋଇ ଯାଉ

ମୋ ସିଲଟ ଶୁଖି ଯାଉ

ନଈ ପାଣି ନଈକୁ ଯାଉ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍