ଅକୁହା କୋହ
ଅକୁହା କୋହ
"ଅଦେଖା କୋହ "
ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ
ମନ ପୋଡେ ଏକା ଏକା,
କେହି ଜାଣନ୍ତିନି ଅକୁହା କୋହକୁ
ହୃଦେ କେତେ ଦୁଃଖ ମଖା |
ଏକାନ୍ତରେ ଥିଲେ ଆଖିରୁ ଝରଇ
ଲୋତକ ଶ୍ରାବଣ ଧାରା,
ମନକଥା ମନେ ମରେ ନିତିଦିନ
ନିସ୍ପୃହେ ଜୀବନ ଭରା |
ଭାବ ପ୍ରବଣତା ହୁଏ ସହଚର
ଦୁଃଖ ଲଦି ଦେବାପାଇଁ,
ବିଷର୍ଣ୍ଣତା ଦିଏ ମୁଖରେ ଶୁଷ୍କତା
ସତେ କି ବୟସ ଛାଇ |
ପ୍ରାଣଠୁ ଅଧିକ ଭଲ ପାଉଥିବା
ଲୋକ ଯଦି ପରକରେ,
କହିହୁଏ ନାହିଁ ମନର ବେଦନା
ଆଖିଲୁହ ଖାଲି ଝରେ |
ଉଜୁଡା ସପନ ଗୋପନରେ ଥାଏ
ଉଙ୍କିମାରେ ରହି ରହି,
ଭଗ୍ନ ହୃଦୟକୁ ଆହୁରି ଟୁକୁଡା
କରେ ସେ ଯନ୍ତ୍ରଣା ଦେଇ |
ମରିବାକୁ ଚାହିଁ ମରିପାରେ ନାହିଁ
ଆଶା ଚେଇଁ ଯାଏ ମନେ,
କାଳେ ପୁଣି ଥରେ ଜୀବନ ଫଗୁଣ
ଆସିବ ତା ଉପବନେ |
ବିରହେ ବିରହେ ରହେ ନୀରବରେ
ଭାଗ୍ୟ ଦୋଷ ଦେବା ସାର,
ଭାବେ ସେ ମନରେ ଏମିତି ସମୟ
ନ ଆସୁ କେବେ କାହାର |
ଅବଶୋଷ ନେଇ ବଞ୍ଚିବାରେ କିଛି
ଆନନ୍ଦ ନଥାଏ ମନେ,
ଦୁଃଖେ ରହିବାରୁ କାହାକୁ କି କେବେ
ଦିଏନି ସୁଖ ଜୀବନେ |
ଆଖିର ଲୁହ ଯେ ଆଖିରେ ଶୁଖଇ
କୋହ ମରେ ହୃଦୟରେ,
ଜୀବନ ଦୀପାଳି ଦୁକୁ ଦୁକୁ ହୋଇ
ଜଳୁଥାଏ ନୀରବରେ |