ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା
ବୈଶାଖ ମାସର ଶୁକ୍ଳ ତୃତୀୟା ଦିନକୁ
ଅକ୍ଷୟ ତୃତୀୟା କହି ଲାଗୁ ପାଳିବାକୁ ॥
ବାରମାସେ ତେର ପର୍ବ ଜାତ ମଉଛବ
ଅକ୍ଷୟ ତୃତୀୟା ଅଟେ ଯେ ଶ୍ରେଷ୍ଠ ଉତ୍ସବ ॥
ସବୁଠାରୁ ଶୁଭ ବେଳା ଅକ୍ଷୟ ତୃତୀୟା
ଶୁଭ କାମ ଅନୁକୁଳ କରି ନାନା ପୂଜା ॥
ମନାସନ୍ତି ଈଷ୍ଟ ପାଦେ ଖଣ୍ତିବାକୁ ରିଷ୍ଟ
ଅକ୍ଷୟ ତୃତୀୟା ପର୍ବ ଆହା କି ! ଉତ୍କୃଷ୍ଟ ॥
ପୂଣ୍ୟମୟୀ ପୂତ‐ତିଥି ଶୁଭ ମୁହୂର୍ତ୍ତର
ମାଙ୍ଗଳିକ କାର୍ଯ୍ୟ ପାଇଁ ଯା ପ୍ରକୃଷ୍ଟତର ॥
ସାଂସ୍କୃତିକ ମହାନତା ଜାତୀୟ ଐତିହ୍ୟ
ପ୍ରକାଶେ ସତତ ଯାହା ଅଟଇ ସହାୟ ॥
ବିବାହ ବ୍ରତାଦି ନାନା ଶୁଭ କାର୍ଯ୍ୟ ଲାଗି
ଶୁଭକ୍ଷଣେ ଏହି ଦିନେ ପାଳି ଥାଉ ବେଗି ॥
ଗୃହପ୍ରତିଷ୍ଠାଦି ପୁଣି ପିଲାଙ୍କର ପାଇଁ
ମାଙ୍ଗଳିକ କାର୍ଯ୍ୟକ୍ରମ ଥାଉ ଆପଣାଇ ॥
ମାତା ଲକ୍ଷ୍ମୀଙ୍କର ପ୍ରିୟ ଯେତେ ଅନୁଷ୍ଠାନ
ସକଳ ପାଳିତ ହୋଇ ଥାଏ ଏହି ଦିନ ॥
କୃଷକଙ୍କ ପାଇଁ କେତେ ଆନନ୍ଦଦାୟକ
ଅକ୍ଷିମୁଠି ଅନୁକୂଳ ଚାଷୀ ଓ କୃଷକ ॥
କରି ଆପଣାର ଜମିରେ ଶୁଭ ମନାସିଣ
ଚାଷ କାମ ଆରମ୍ଭନ୍ତି ସର୍ବେ ଏହି ଦିନ ॥
ଏହି ଦିନ ପୂଜା କଲେ ମିଳେ ଭଲ ଫଳ
ନାନା ଦୁର୍ବିପାକୁ ରକ୍ଷା ହୁଅଇ ଫସଲ ॥
ଜଗନ୍ନାଥଙ୍କର ରଥ ନିରିମାଣ କାର୍ଯ୍ୟ
ଏହି ଦିନ ଠାରୁ ଶୁଭେ ହୁଅଇ ପ୍ରାରମ୍ଭ ॥
ଚାଷୀଏ ପୂଜନ୍ତି ଘରେ ଧାନ ଓ ବିହନ
କଠା ଗଉଣୀ ଇତ୍ୟାଦି ଶୁଭ ଦେଇ ଜାଣ ॥
ନାନା ସ୍ଥାନେ ନାନା ଭାବେ ପୂଜନ ଉତ୍ସବ
ଜନ‐ସମାଜରେ ଦୃଢ କରଇ ସଦ୍ଭାବ ॥
ଚନ୍ଦନ ଯାତରା ଏହି ଦିନଠୁ ଆରମ୍ଭ
ଗ୍ରାମେ ଗ୍ରାମେ ଯାତ ହୁଏ କେତେ ଅଭିନବ ॥
ସାଂସ୍କୃତିକ ଭାବ ‐ମାଧୁରୀ ଭରା ଉତ୍ସବ
ଅକ୍ଷୟ ତୃତୀୟା ପାଳନ୍ତି ପୂଣ୍ୟ ସଦ୍ଭାବ ॥
ଜଗରଣ ପାଇଁ ପିଠା ପଣା ନାନା ଦ୍ରବ୍ୟେ
ଆନନ୍ଦ ମନାନ୍ତି କରି ଜନେ ଯେ ସରବେ ॥
ପ୍ରତି ଶୁଭ କର୍ମେ ରତ ଜନେ ଆନନ୍ଦରେ
ଅକ୍ଷୟ ତୃତୀୟା ଏହି ପୂଣ୍ୟ ପରବରେ ॥
ସଞ୍ଚାରେ ସବୁରି ମନେ ଆନନ୍ଦ ପ୍ଲାବନ
ସୁଖ ତପ୍ତି ହରଷରେ ଭରେ ଏହି ଦିନ ॥

