କଥା କହୁଥିବା ଛବି
କଥା କହୁଥିବା ଛବି
କେଉଁଠୁ ଆରମ୍ଭ ହେଲା ମୋର ଯାତ୍ରା
ଜାଣିନି ମୁଁ ସଖୀ ଜାଣିନାହିଁ
ଆଗକୁ ଆଗକୁ ବାଟ ମୁଁ ଚାଲିଛି
ଏଯାଏଁ ବି ପାଦ ଥକିନାହିଁ I
ହାତ ମୋର ଅଛି ତୁମ ହାତେ ସଖୀ
ତୁମ ପାଦେ ପାଦ ମିଶାଉଛି
ଯୁଆଡେ ଚାହୁଁଛି ସିଆଡେ ଗୋ ଖାଲି
ତୁମ ଛବି ଗୋଟି ଦିଶୁଅଛି I
ତୁମେ ଆଲୋକର ତୀର୍ଯ୍ୟକ କଣିକା
ହୃଦୟକୁ ମୋର ଭେଦିଗଲ
ଜାଣି ପାରିଲିନି କେଉଁଦିନ ତୁମେ
ଆଖିତଳେ ମୋର ବସା କଲ I
ତୁମକୁ ଦେଖିଲି ନୀଳ ନିରିଜନେ
ଆଙ୍କିଲି ତୁମର ଛବିଟିଏ
ନିର୍ଜୀବ ନଥିଲା ସେ ଛବି ଲୋ ସଖୀ
ନିତି ମୋ ସହିତ କଥାହୁଏ I
ସେଇ ଛବି ଆଉ ତୁମରି ଭିତରେ
ପ୍ରଭେଦ ମୁଁ କିଛି ଦେଖିନାହିଁ
ତୁମ ହାତଧରି ଚାଲୁଛି ମୁଁ ବାଟ
ବାଟ ମୋ ଏଯାଏଁ ସରିନାହିଁ I
ଜନ୍ମ ଜନ୍ମାନ୍ତର ତୁମରି ହାତକୁ
ଧରି ରଖିଥିବି ହାତେ ମୋର
ତୁମରି ପ୍ରୀତିର ପିୟୁଷକୁ ପିଇ
ବାଟ ଚାଲୁଥିବି ନିରନ୍ତର ।