ଅକାରଣ
ଅକାରଣ
ନିରତେ ଅଭାବ ନଦୀ କରି ସନ୍ତରଣ
କରି ନୁହଁଇ ସମାଜ ଚରିତ୍ର ଚିତ୍ରଣ ।
ଇଛେ କର ଇଙ୍ଗେ ଚାଳିବାରେ ନିଜ ନେତ୍ର
ଅବୋଧ୍ୟ ଯେ ବୁଝାଇଲେ ହୁଏ ଜର୍ଜ୍ଜରିତ ।
ପର ଅପକାରେ ସଦା ଲଭଇ ଆନନ୍ଦ
ସପକ୍ଷ ବାଦୀ ଯେ ତାର ବଡ଼ ଅପରାଧ ।
ନିନ୍ଦା ଅପବାଦେ କେବେ କରେ ନାହିଁ ଭୟ
ତୁହିନ ଆଗମେ ହୋଇ କମଳ ପରାୟ l
ମାତଙ୍ଗ ରମ୍ଭା ଅରଣ୍ୟ କରେ ଯେହ୍ନେ ନଷ୍ଟ
ଅଭକ୍ଷ ଭକ୍ଷଣେ ଦିଏ ଅବୟବେ କଷ୍ଟ l
କାଳ କରେ କବଳିତ ବୁଝିପାରେ ନାହିଁ
ଉନ୍ମାଦ ରେ ଧରା ସରା ପ୍ରାୟ ମଣୁଥାଇ l
ନହୋଇ ନିଷ୍କାମ କର୍ମ କରେ ଫଳ ହୀନ
ସ୍ବର୍ଗ ଲଭିବାରେ ଦେଖି ଅଯଥା ସ୍ବପନ l
ମାୟାରେ ଭ୍ରମିତ ମନ ହୁଏ ସଦା ଘାଣ୍ଟି
ନଜାଣେ ଆଗମ କାଳ ଧରିଲାଣି ତଣ୍ଟି l
ଶେଷରେ ଅକାଳ ମୃତ୍ୟୁ କରଇ ବରଣ
ମାନବ ଜୀବନ ପାଇ ପୁରା ଅକାରଣ l