STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଅଜାଙ୍କର ଏହି କଥା

ଅଜାଙ୍କର ଏହି କଥା

1 min
363


ସଞ୍ଜର ମୁହଁରେ ବୁଲି ଯାଇଥିଲୁ

   ଅଜା ଓ ନାତିଆ ଦୁହେଁ

ନଈକୂଳେ ବସି ଅଜାଙ୍କର କଥା

   ଶୁଣୁଥିଲି ତାଙ୍କ ମୁହେଁ।


ବଡ଼ ଉତ୍ସାହରେ କହୁଥିଲେ ନାତି

   ତୁମର ଭବିଷ୍ଯ ପାଇଁ

ନୀତିବାଣୀ ପରି ଯାହା ମୁଁ କହୁଛି

   ଶୁଣ କାନ ଡେ଼ରି ତୁହି।


ଆଜି ଛୋଟ କାଲି ଏହି ସଂସାରରେ

   ବଡ଼ ମଣିଷଟେ ପାଇଁ

ସମୟର ସାଥେ ଚାଲିବୁରେ ନାତି

   ମନରେ ଉତ୍ସାହ ଥୋଇ।


ଧୀର କଥା କହି ମନକୁ ମୋହିବୁ

   କରିବୁ ପର ଆପଣା

ସନ୍ତୋଷ ମିଳିବ ବ୍ଯଥାକୁ ଦୂରେଇ

   ଏଥିରୁ ହେବୁନି ବଣା।


ବଡ଼ ହେବା ପାଇଁ ମନ ମନ୍ଦିରରୁ

   ଗରବ କରିବୁ ଦୂର

ମୁକତି ପାଇଁକି ଭକତି କରିବୁ

   ଜୀବନରେ ନିରନ୍ତର।


ମନ ଓ ବିବେକ ଖଟାଇ ନାତିରେ

   ସୁବିଚାର କରୁଥିବୁ

ଜ୍ଞାନ ମିଳିଯିବ ସଂସାର ଭିତରୁ

   ଲୋକେ ହୋଇଯିବେ କାବୁ।


ଖାଇବା ଶୋଇବା ଅଥବା ପିନ୍ଧିବା

   ସନ୍ତୋଷ ଯଦିରେ ଥିବୁ

ସୁଖ ତୋ' ପାଖରେ ଆସି ଠିଆ ହେବ

   ଆନନ୍ଦେ ଲୁହ ଢାଳିବୁ।


କହୁଥିଲେ ଅଜା ଶୁଣୁଥିଲି ବସି

   ଦୂର ଆକାଶକୁ ଚାହିଁ

ପାହାଡ଼ ସନ୍ଧିରେ ଲୁଚିଯାଉଥିଲେ

   ସୁନେଲି କିରଣ ଥୋଇ।


ପବନ ବହିଲା ଥିରିଥିରି କରି

   ଯେମିତି ଗରବ ତେଜି

ଆଲୋକ ସଭିଙ୍କୁ ବାଟ ଦେଖାଇଲା

   ଯିବେ କିଆଁ ନିଜେ ଭାଜି?


ଅଜାଙ୍କ କଥାକୁ ପରଖିଲି ମୁହିଁ

   ଆଲୋକ ପବନ ଦ୍ବାରା

ଯିଏ ପ୍ରତିକ୍ଷଣ ସନ୍ତୋଷ ମନରେ

   ସୁଖ ପାଇଁ ଆତ୍ମହରା।


ଅଜାଙ୍କ ପାଦକୁ ଛୁଇଁକି ଶପଥ

   କରିଲି ଆନନ୍ଦ ହୋଇ

ମୋ' ମୁଣ୍ଡ ଆଉଁସି ଆଶିଷ ଢାଳିଲେ

   ଛାତିରେ ଜାବୁଡି଼ ନେଇ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children