ଐକାନ୍ତିକ ଇଚ୍ଛା
ଐକାନ୍ତିକ ଇଚ୍ଛା
ଫୁଟିକି ଥାଆନ୍ତି ତୁମ ବଗିଚାରେ,
ଗୋଲାପଟିଏ ମୁଁ ହୋଇ ।
ଅତି ଯତନରେ ଛିଡା଼ଇ ନିଅନ୍ତ,
ଜୂଡାରେ ଖୋସିବା ପାଇଁ ।।
ଜୂଡାରେ ରହି ମୁଁ ତୁମ ସୌରଭକୁ,
ଆଘ୍ରାଣ କରନ୍ତି ନିତି ।
ତୁମ ପାଶେ ରହି ଜୀବନ ମୋହର,
ଖୁସିରେ ଯାଆନ୍ତା ବିତି ।।
କେବେ କେଉଁଦିନ ମନ ମୋର ଚାହେଁ,
ଥାଆନ୍ତା କି ପକ୍ଷ ଦୁଇ ।
ଉଡି ମୁଁ ଯାଆନ୍ତି ତୁମ ପାଶେ ନିତି,
ତୁମକୁ ଦେଖିବା ପାଇଁ ।।
କି କରିବି କିନ୍ତୁ ମଣିଷର ଇଚ୍ଛା,
ନଥାଏ ନିଜ ଆୟତ୍ତେ ।
ଅଭାଗାଟିଏ ମୁଁ ଇଚ୍ଛା କଲେ କିବା,
ଭାଗ୍ୟବାନ ହେବି ସତେ ?
ଯେବେ ନିରୋଳାରେ ଆଖି ବୁଜି ଦିଏ,
ତୁମ ଛବି ଚାଲି ଆସେ ।
ନିଟୋଳ ନୟନେ ଚାହିଁ ରହି ମୋତେ,
ବସି ଯାଅ ମୋର ପାଶେ ।।
ଭାବେ ମୁଁ ବାସ୍ତବେ ତୁମେ ଆସିଅଛ,
ମୋ ମନର କଥା ଜାଣି ।
ହେଲେ ମୁଁ ବୁଝେନି ସତ କି ହୋଇବ,
ଦିବସର ସ୍ୱପ୍ନ ପୁଣି ?
