ଅହଂକାର
ଅହଂକାର
ଅହଂକାର ଭାବ କଲେ ଆପଣାର
ଦୂରେ ରହେ ମନୁଷ୍ୟତ ,
କି କାରଣେ ଯେବେ ଆସେ ଅହଂଭାବ
ବଢ଼େ ପାପର ଔଦ୍ଧତ୍ୟ ।
ବିଜ୍ଞ ଦଶାନନ ବାହୁବଳ ପାଇଁ
ଅହଂକାରେ ହୋଇ ମତ୍ତ ,
କିପରି ନିଜର ସର୍ବନାଶ କଲା
ସଭିଙ୍କୁ ଏକଥା ଜ୍ଞାତ ।
ନିଜ ଦାନ ପଣ ପାଇଁ ଅହଂଭାବ
ହୃଦୟେ ସ୍ଥାପିଲା ବଳି ,
ଯା ଦାନରେ ଦାନୀ ତାଙ୍କୁ ଦାନ ଦେଇ
ହୋଇଲା ନିଜେ ପାତାଳୀ ।
ଧନ,ବାହୁ ବଳେ ହୋଇ ବଳୀୟାନ
ଆତ୍ମଗର୍ବୀ ଦୁର୍ଯ୍ୟୋଧନ ,
ନାରୀ ନିର୍ଯ୍ୟାତନା କଲା ସଭାସ୍ଥଳେ
ସବଂଶେ ହେଲା ନିଧନ ।
ଏ ଯୁଗରେ ମଧ୍ୟ ଯା ମନେ ଆସ୍ଥାନ
କରୁଅଛି ଅହଂକାର ,
ଜୀବଦ୍ଦଶା ମଧ୍ୟେ କୃତ କର୍ମ ପାଇଁ
ଭୋଗୁଛି ଦୁଃଖ ଅପାର ।
ଅହଂକାର ଠାରୁ ଦୂରେ ଯେଉଁ ଜନ
ମିଳୁଛି ଅଜସ୍ର ଖ୍ୟାତି ,
କର୍ମ କରିଚାଲେ ପୂର୍ଣ୍ଣ ସମର୍ପଣେ
ନଥାଏ ମନରେ ଭୀତି ।
ସୁନ୍ଦର ଚିନ୍ତନ ସୁକର୍ମେ ମଗନ
ହେବା ଯେବେ ନିରନ୍ତର ,
ଅହଂକାର ଶୂନ୍ୟ ହୋଇବ ଏ ମନ
ହସିବ ଆମ ସଂସାର ।
