ଅହଙ୍କାର
ଅହଙ୍କାର
ଧନ ଗର୍ବେ ମତ୍ତ ହୋଇ ଅକାରଣେ
କରନାହିଁ ଅଭିମାନ,
ମାଟି ଦେହ ଦିନେ ମାଟିରେ ମିଶିବ
ଜୀବନଟା ଦୁଇଦିନ।
ଏ ଧନ ସାଥିରେ ଯିବନାହିଁ ଦିନେ
ଜୁଇ ସାଥେ ମଶାଣୀକୁ
ଖାଲି ହାତେ ଆସିଥିଲୁ ଏଠି ଦିନେ
ଖାଲି ହେବ ଫେରିବାକୁ।
ଧନର ପାହାଡ଼ ପରେ ବସି ତୁହି
ମିଛେ ଅଟ୍ଟହାସ୍ୟ କରୁ
ପଡୋଶୀ ତୋ କାନ୍ଦେ ଅନ୍ନ ମୁଠେ ପାଇଁ
ସେ କଥା ତୁ ନ ବିଚାରୁ।
ଧନ ଯଦି ତୋର ଜୀବନର ସୁଖ
ସୁଖ ବାଣ୍ଟିଦେଲେ ବଢ଼େ
ବାଣ୍ଟି ଦେଖ ଥରେ ସେ ସୁଖ ଫସଲ
ଦେଖ ସେ କେମିତି ମାଡ଼େ।
ଆଜି ଥିବା ଧନ କାଲିକି ନଥିବ
ଭାଙ୍ଗିଯିବ ଅହଙ୍କାର
ଧନ ଥିବ ହେଲେ ଚିକିତ୍ସକ ହାତେ
ନଥିବଟି ଉପଚାର।
ଧନ ଥାଉ ଥାଉ ମନ ତୋ ନ ଭ୍ରମୁ
ସଂସାର ହାଟ ଭିଡ଼ରେ
ବେଳ ଥାଉ ଥାଉ ଫେରି ଆ ଆକାଶୁ
ଏଇ ତୋର ମାଟିଘରେ।
