ଅହଙ୍କାର
ଅହଙ୍କାର
ଗର୍ବ ଅହଙ୍କାର ଏମିତି ପ୍ରବୃତ୍ତି
ଯଦି ଜୀବନକୁ ଘେରେ
ତା କଳା ଧୂଆଁରେ ସତ୍ୟର ପ୍ରକାଶ
ଧୂମାଳିଆ ହୋଇଯାଏ ।
ଗର୍ବ ଅହଙ୍କାର ଏମିତି ପ୍ରବୃତ୍ତି
ମଣିଷକୁ ଯଦି ଘେରେ
ପାଟିରୁ ତାହାର ଯେତେ ଅପଶବ୍ଦ
ଧିକ୍କାର ହୋଇ ବାହାରେ ।
ଗର୍ବ ଅହଙ୍କାର ଏମିତିକା ନିଶା
ଯଦି ମନେ ପଶି ଯାଏ
ଲୁପ୍ତ ହୋଇଯାଏ ଯେତେ ସୁଚିନ୍ତନ
ଖାଲି ଅନ୍ଧକାର ଦିଶେ ।
ଗର୍ବ ଅହଙ୍କାର ଏମିତିକା ଶବ୍ଦ
ଯଦି ହୃଦୟକୁ ଛୁଏଁ
ପ୍ରେମର ପ୍ଳାବନେ ଭଟ୍ଟା ପଡିଯାଏ
ସବୁ ରଙ୍ଗ ହରା ହୁଏ ।
ଗର୍ବ ଅହଙ୍କାର ବଡ଼ ଶାଗୁଣାଟେ
ଯଦି ଡେଣା ମେଲି ବସେ
ଖିନ୍ ଭିନ୍ କରି ମଣିଷ ଭିତରୁ
ଭଲ ସବୁ ଲୁଣ୍ଠି ନିଏ ।
ଅହଙ୍କାରେ ଜୀବ ବୁଝି ପାରେ ନାହିଁ
ନିଜର କି କ୍ଷତି ହୁଏ
ଅନ୍ୟକୁ ଯନ୍ତ୍ରଣା ଦେବାର ପ୍ରୟାସେ
ନିଜକୁ ଡୁବାଇ ଦିଏ ।
ଅହଙ୍କାରୀ ପାଇଁ ସମୟ ବି ଆସେ
ପଶ୍ଚାତାପ କରିବାର
ହେଲେ ସେତେ ବେଳେ କିଛି ବି ନ ଥାଏ
ଥାଏ ଖାଲି ଯେ ମୁର୍ଦ୍ଦାର ।
ବହିଗଲା ପାଣି ପଛକୁ ଫେରେନି
ଏତ ପାଣିର ନିୟମ
ଗର୍ବ, ଅହଙ୍କାରେ ଯାହା କ୍ଷତି ହୁଏ
ତା ରହେ ଅପୁରଣୀୟ ।
ଆସ ହୃଦୟରେ ମାନବିକତାର
ଦୀପ ଟିଏ ଜାଳି ଦେବା
ଦୀପର ଆଲୋକେ ହୃଦୟକୁ ଆମେ
ପ୍ରେମ ମୟ କରିଦେବା ।
