ଅଗ୍ନି ରୂପୀ ଆତ୍ମା
ଅଗ୍ନି ରୂପୀ ଆତ୍ମା
ଶରୀର ତତ୍ତ୍ଵର ଗୁଢ଼ ରହସ୍ୟରେ
କାଷ୍ଠ ସମ ଏ ଶରୀର
ଆତ୍ମା ହିଁ ଜୀବନ ଆତ୍ମା ଅଟେ ପ୍ରାଣ
ଅଗ୍ନି ରୂପେ ବିଦ୍ୟମାନ
ଅଗ୍ନି ରୂପୀ ଆତ୍ମା 'ଅହଂ ' ଭାବେ ସଦା
ଶରୀର ମଧ୍ୟେ ନିହିତ
ଆତ୍ମାର ସ୍ବରୂପ ନୁହେଁ ପ୍ରକାଶିତ
ଗୁପ୍ତ ଭାବେ ଅଛି ସ୍ଥିତ
ମୁଁ ' ଶବ୍ଦର ପ୍ରାୟ ହେଉଛି ପ୍ରୟୋଗ
' ମୁଁ ' ଶରୀର ସହ କର୍ମ
ଶରୀରରୁ ଭିନ୍ନ ରୂପରେ ' ମୁଁ ' ଶବ୍ଦ
ଚୈତନ୍ୟ ସତ୍ତାର ନାମ
ଜଳ ବାୟୁ ଆକାଶ ଅଗ୍ନି ପୃଥିବୀ
ପଞ୍ଚ ତତ୍ତ୍ଵ ଶରୀରର
ସେହି ପରି ଆତ୍ମା ସହିତ ମିଶ୍ରିତ
ମନ ବୁଦ୍ଧି ଓ ସଂସ୍କାର
ଅଗ୍ନି ତତ୍ତ୍ଵ ଆମ ଶରୀର ଭିତରେ
ରହିଛି ବିଭିନ୍ନ ରୂପେ
କ୍ରୋଧ-ଅଗ୍ନି, ଜଠରାଗ୍ନି , ଆତ୍ମା-ଅଗ୍ନି
ଶରୀରେ ନିହିତ ଆପେ
ବିଚାର ଓ ନିର୍ଣ୍ଣୟ କରିବା ଶକ୍ତି
କେବଳ ଆତ୍ମା ପାଖରେ
ଆତ୍ମା ଦ୍ଵାରା ଭିନ୍ନ କର୍ମ ଅନୁଯାୟୀ
ସଂସ୍କାର ସେହି ପ୍ରକାରେ
ମନ ଓ ବୁଦ୍ଧି ନୁହଁ ଆତ୍ମା ଠୁ ଅଲଗା
ଆତ୍ମା ଦ୍ଵାରା ନିୟନ୍ତ୍ରଣ
ଶରୀର ଭିତରେ ହେଉଥିବା କାର୍ଯ୍ୟ
ସବୁ ଆତ୍ମାର ଅଧୀନ
ଆଧୁନିକ ଉପାୟରେ ବୁଝି ହୁଏ
ଆତ୍ମା ଶରୀର ସମ୍ପର୍କ
ମୋଟର ବାହନ ସମ ଏ ଶରୀର
ଆତ୍ମା ଅଟଇ ଚାଳକ
ଚାଳକ ବିହୀନ ମୋଟର ଯାନର
ଗତି କ୍ରିୟା ନିଷ୍କ୍ରିୟତା
ଶରୀର ସେପରି ଆତ୍ମା ବିନା ମୃତ
ଚାଳକ ଆସନେ ଆତ୍ମା
ଏ ଶରୀର ରୂପୀ ମୋଟର ଯାନକୁ
ଆତ୍ମା ଚାଳକ ରୂପରେ
ସଠିକ ମାର୍ଗରେ ଯାତ୍ରା କଲେ ବଳେ
ପହଞ୍ଚେ ଲକ୍ଷ୍ୟ ସ୍ଥଳରେ
ଆତ୍ମା ପୁଣି ଆମ କାଷ୍ଠ-ଶରୀରରେ
ରହିଅଛି ଅଗ୍ନି ସମ
ଅଗ୍ନି ତେଜ ସକ୍ରିୟତା ଗୁଣ ଧାରେ
ଶରୀର ବି କାର୍ଯ୍ୟକ୍ଷମ
ଅଗ୍ନି ପୁଣି ସ୍ଥିତ ଜଠର ମଧ୍ୟରେ
ଖାଦ୍ୟ ହୁଅଇ ପାଚନ
କ୍ରୋଧ ଅଗ୍ନି ବଳେ କ୍ଷଣିକ ଭିତରେ
ଭ୍ରଷ୍ଟ ହିତାହିତ ଜ୍ଞାନ
ଏ ଶରୀର ଶୁଷ୍କ କାଷ୍ଠ ସମ ପ୍ରାୟ
ପିଣ୍ଡରୁ ଗଲେ ପରାଣ
ବାହ୍ୟ ଅଗ୍ନି ବଳେ ଶ୍ମଶାନ ଘାଟରେ
ଶେଷ କୃତ୍ୟ ବି ସମ୍ପର୍ନ୍ନ
