STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ଅଗିରା‌ ପୁନେଇଁ

ଅଗିରା‌ ପୁନେଇଁ

1 min
285


ଅଗିରା‌ ପୁନେଇଁ ଆସିଗଲା ଭାଇ

  ଶୀତଟା ଗଲା ପଳେଇ,

ଫଗୁଣଟା ଏଣେ‌ ବସନ୍ତକୁ ପାଇ‌

   ସରାଗେ ହେଲା ଫୁଲେଇ ।

ମାଘମାସ ପୁଣ୍ୟ ପୂର୍ଣ୍ଣିମା ତିଥି ଏ

   ଅଗ୍ନି ଦେବଙ୍କର ପୂଜା,

ଗାଁ ସାହି ମୁଣ୍ଡ ଛକ ମାନଙ୍କରେ

   ଅଗିଜଳା‌ ବଡ଼ ମଜା।

ବିଡାବିଡା‌ ଛଣ‌ ପୁଳାପୁଳା ପାଳ

   ଘରୁଘରୁ‌ ଅଣାଯାଏ,

କମାର ଶାଳରୁ ଆସିଥିବା ଅଗ୍ନି

   ସେଥିରେ ସଂଯୋଗ ହୁଏ।

ବ୍ରାହ୍ମଣଙ୍କ ଦ୍ଵାରା ଅଗ୍ନି ଦେବତାଙ୍କ ‌

    କରାଯାଏ ଉପାସନା,

ଆମ ଉତ୍କଳର ପୁଣ୍ୟ ପରମ୍ପରା

    ସଂସ୍କୃତି ମହତ ସିନା!

ଅଗିଜଳା ଆଳୁ ବାଇଗଣ ପୋଡ଼ା

    ନିଆରା ତାର ସୁଆଦ,

ସେହି ପୋଡ଼ାଦ୍ରବ୍ୟ ଦୂରକରେ ରୋଗ

    ଅଗ୍ନିଙ୍କର ଆଶୀର୍ବାଦ।

ବିଶ୍ଵାସ ରହିଛି ଏହା ଯେ ଖାଇଛି

    ନିରୋଗ ସେ ରହିଅଛି,

କେତେ ଲୋକ ଗାଥା ସରଳ ଭାବନା

    ୟା ଭିତରେ ଲୁଚିଅଛି।

ଅଗ୍ନି ଜଳୁଥାଏ ‌ଯେଣେ ଢଳୁଥାଏ‌

    ସେ ଦିଗକୁ ଲକ୍ଷ୍ୟ କରି,

ଜନମୁଖୁଁ ଶୁଣାଯାଏ ତ ଏ ସନ

    ଫସଲ ଫଳିବ ଭାରି।

ଅଗ୍ନି ପାଉଁଶକୁ କୁଟା ବିଣ୍ଡାକରି‌

   ନେଇ ଧାନ ଅମାରରେ‌,

କୃଷକ ହରଷେ ସାଇତି ରଖନ୍ତି

    କେତେ ଆଶା ଭରଷାରେ।

ଚାଳ ଛପରର ସୁରକ୍ଷା ନିମନ୍ତେ

    ଏ ଅଗ୍ନି ଉତ୍ସବ ପର୍ବ,

ଉତ୍କଳ ମହିମା କେ ଦେବ ଉପମା

    ଧନ୍ୟ ଓଡ଼ିଆର ଭାବ।

ପହିଲି ବସନ୍ତ ଆଗମନେ ଧରା

    ମଳୟ ବାସ ମହକେ‌,

କୀଟ ପତଙ୍ଗାଦି‌ ଦୂରେଇ ଯାଆନ୍ତି

    ବ୍ରହ୍ମ ଅଗ୍ନି ପରକାଶେ‌।

ଅନାସକ୍ତ ଧ୍ଵନୀ ଆଜି ଜାଗିଛନ୍ତି 

    ପ୍ରେମ ଜ୍ୟୋତି ପ୍ରକାଶିବେ,

ରବିତଳେ‌ ସତ୍ୟ ଭାବ ବାଣ୍ଟିଦେବେ‌

    ଅସତ୍ଯକୁ ବିନାଶିବେ‌।

ରାଗ, ହିଂସା,ଦ୍ଵୈଷ ,ଗର୍ବ, ଅଭିମାନ

    ବ୍ରହ୍ମ ଅନଳେ‌ ଝାସିବା‌,

ଅଗ୍ନି ଉତ୍ସବରେ ପବିତ୍ର ବେଳାରେ

    "ମୁଁ" କୁ ଆହୁତି ଦେବା।


Rate this content
Log in

Similar oriya poem from Abstract