ଅଧୁନା ଯୁଗରେ ରଜ ଉତ୍ସବ
ଅଧୁନା ଯୁଗରେ ରଜ ଉତ୍ସବ
ଷାଠିଏ ବରଷ ତଳ
ମନେପଡ଼େ ପିଲା ବେଳ;
ରଜ ଯେବେ ଆସୁଥିଲା
ମାଟି ବାସ୍ନା ମହକିଲା;
ଶୀତଳ ପବନ ସଙ୍ଗେ ନବଘନ
ଆକାଶରେ ଦେଖା ଦେଲା ।
ମେଘ ନୀଳ ଆକାଶରେ
ଦେଖି ମୟୂର ବନରେ;
ପୁଛ ଟେକି ନୃତ୍ୟ କଲା
ବନସ୍ତେ ଗଜ ଡାକିଲା;
ସେତେବେଳେ ଆସେ ଏରଜ ପରବ
ଧାତ୍ରୀ ରଜସ୍ୱଳା ହେଲା ।
ଗାଆଁ ଚାରିପଟ ଗଛ
ପକ୍ଵ ଫଳ ଭରା ଦୃଶ୍ୟ;
ସେଇ ଗଛ ଡାଳେ ଦୋଳି
ଖେଳ ଯେ ଡାଳ ମାଙ୍କୁଡି;
ଦୋଳି ସଜ ବାଜ ବନ ଫୁଲ ତୋଳି
ଦିନ କଟେ ଦୋଳି ଖେଳି ।
ଦେବୀ ପିଠେ ବାଦିପାଲା
ପସରା ଖଜାର ଡାଲା;
ରଜ ଗୀତ ଦୋଳି ଖେଳି
ଝିଅ ବୋହୁ ହୋଇ ମେଳି;
ପାଦରେ ଅଳତା ମୁଣ୍ଡେ ଟୋପିଚିତା
ଯାଇନାହିଁ ଅପସରି ।
କିନ୍ତୁ ନାହିଁ ଆଉ ବୃକ୍ଷ
ସିମେଣ୍ଟ ଲୁହାର ଖୁଣ୍ଟ;
ଅଧୁନା ଆଜି ର ଏହି
ଦୋଳି ସିନା ଲାଗୁଥାଇ;
ଖେଳ କଉତୁକ ଭାଇଚାରା ଭାବ
ଆଉ ଆଗଭଳି ନାହିଁ ।
ବିକଟ ଗ୍ରୀଷ୍ମେ ସିଝୁଛି
ମଉସୁମୀ ଲୁଚି ଅଛି;
କାଳ ବଇଶାଖି ବାତ୍ୟା
ବିକଳ ଧରା ଅଗତ୍ୟା;
ରଜ ମହୋତ୍ସବ ଗଣ ପର୍ବ ଫିକା
ପ୍ରକୃତି ବଦଳି ଯାଇଛି ।
ପ୍ରକୃତିର ଦୃଶ୍ୟ ଧ୍ଵଂସ
କରିଅଛି ଏ ମଣିଷ;
ଡାକୁ ନାହିଁ ଆଉ ଗଜ
ମୟୂର ନକରେ ନୃତ୍ୟ;
ମଣିଷର ରୁଚି ବଦଳି ଯାଇଛି
ତଥାପି ବଞ୍ଚିଛି ରଜ ।
