ଅଧର ପଣା
ଅଧର ପଣା
ସଖୀ ଲୋ ଯିବା ଶ୍ରୀକ୍ଷେତ୍ର ବୁଲି ( ଘୋଷା)
ଦର୍ଶନ କରିବା ଦାରୁ ବିଗ୍ରହ ଲୋ
ଦୁନିଆଁରୁ ଯିବା ସୁଖରେ ଚାଲି
ସଖୀ ଲୋ ......।
ଶୁଣ ଆହେ ନାଥ ତୁମରି ସାଆଁନ୍ତ
ବଡ଼ ଲୋକ ଘର ପୁଅ
ବଡ଼ ତା ଦେଉଳ ବଡ଼ ତାର ଛଳ
ଲାଗେ ବଡ଼ ଲୋକ ସୁଅ
ମୋ ସଂସାର ଏଠି ଭୋକରେ ମରୁଛି
ଜଳିବ କି ନାହିଁ କାଲିକି ଚୁଲି
ସଖୀ ଲୋ .....।
ପାଦ ନଥାଇ ସେ ଚାଲି ଆସନ୍ତି ଲୋ
ଭକତ ଡାକିଲେ ଥରେ
ପୁରୁଷୋତ୍ତମ ସେ ରାଜାଧି ରାଜା ଲୋ
ବିଜେ ନନ୍ଦିଘୋଷପରେ
ନଅ ହାଣ୍ଡି ପଣା ପାନ କରିବେ ଲୋ
ଦେଖିଲେ ଯିବୁ ତୁ ନିଜକୁ ଭୂଲି
ସଖୀ ଲୋ .....।
ଶୁଣ ଆହେ ନାଥ ତୁମ ଗୋପିନାଥ
ପିଇବା ଅଭ୍ୟାସ ଅଛି
କେତେ ଦଧି ସର ଲୁଚାଇ ଖାଇଛି
ବ୍ରଜପୁର କରେ ଛି
ଘରେ ମୋର ନାହିଁ ବାସି ତୋରାଣି ହେ
ଦେଖିବାକୁ ଯିବି ଗୋଟାଏ ଜାଲି
ସଖୀ ଲୋ .....।
କେତେ ଦେବା ଦେବୀ ଚାହିଁ ବସିଛନ୍ତି
ପାଇବେ ଅଧର ପଣା
ସେ ଦୃଶ୍ୟ ଦେଖିଲେ ମୁକତି ଲଭିବୁ
କରନା ଆଉ ବାହାନା
ସାରା ବଡ଼ଦାଣ୍ଡ ଲହଡି ଭାଙ୍ଗିବ
ଆଜି ଯାହା ଅଛି ନଥିବ କାଲି
ସଖୀ ଲୋ .....।
ଆହେ ପ୍ରିୟତମ କରିନି କୁକର୍ମ
ମୁକତି କରିବି ଚିନ୍ତା
ଯଦି ତୁମ ହରି ମୋ ଘର ଚଳାନ୍ତେ
ଜାଣନ୍ତି ଜଗତ ଜିତା
କାଠ ଜାଳ ମୋର ଭିଜି ଯିବ ପରା
ଆସିଲାଣି ବର୍ଷା ଚାଲି
ସଖୀ ଲୋ ......।
ମୟା ମୋହେ ତୁହି ବନ୍ଧା ଲୋ ସଜନୀ
ମରଣ ଭୂଇଁରେ ଥାଇ
ଯାହାକୁ ଭାବୁଛୁ ଘର ସଂସାର ଲୋ
ଯିବେନି ତୋ ସଙ୍ଗେ ଧାଇଁ
ସେହି ଜଗନ୍ନାଥ ଅନାଥର ନାଥ
ଚାହିଁ ଲେ ଫୁଟିବ ଭାଗ୍ୟରେ ମଲ୍ଲୀ
ସଖୀ ଲୋ .....।
ଶୁଣ ପ୍ରିୟ ବର କରୁଣା ତ କର
ନଯିବି ଜଗାର ପୁର
ଦାସିଆ ହାତରୁ ନଡ଼ିଆ ନେଲା ସେ
ଚାଲି ଆସୁ ମୋର ଘର
ସୁନା ହାଟ ପୁଣି ଅଧର ପଣାରେ
ଭଣ୍ଡାର କରୁଛି ଖାଲି
ସଖୀ ଲୋ .....।
ତୋପରି ବାତୁଳି ଜଗତରେ ନାହିଁ
ଘରେ ପକାଇଥା ଡେରା
ମନ ମୋ ଅସ୍ଥିର କଲେଣି ଠାକୁର
ପୁରୀରୁ ଡକରା ପରା
ଏତିକି କରିବ ହେ ମୋର ମାଧବ
ଘର ହସୁ ଖିଲି ଖିଲି ।
ସଖୀ ଲୋ ଯିବା ଶ୍ରୀକ୍ଷେତ୍ର ବୁଲି (ଘୋଷା)
