ଅଧିର ମଉନା ମନ
ଅଧିର ମଉନା ମନ
ଶ୍ରାବଣ ତିଥିରେ ଆକାଶ ଛାତିରେ ମେଘ ମହ୍ଲାରର ତାଳେ
ଅନ୍ତରେ ଅନ୍ତରେ ପ୍ରୀତି ଅନୁରାଗ ବନ୍ଧବାଡ଼ ଡେଇଁ ଖେଳେ ।
ହୃଦୟ ବୀଣାରେ ସାତ ସୁର ଛନ୍ଦି ଅଧିର ମଉନା ମନ
ଆବେଗେ ଉଛୁଳି ପ୍ରେମର ଗୀତିକା ଗାଉଅଛି ରାତିଦିନ ।।
ଅବ୍ୟକ୍ତ ଭାବନା ମଧୁର ମୂର୍ଚ୍ଛନା ଗୁଞ୍ଜରିତ ଚଉପାଶେ
ମୟୂରୀ ପରାଣ ହେଉଛି ଉନ୍ମନା ମୃଦୁ ସମୀରଣ ସ୍ପର୍ଶେ ।
ଏ କି ଶିହରଣ ତନୁରେ ବୋଳିଛି ଆଙ୍କିଛି ଗୁପତେ ଆଶା
ମିଠା ମାଦକତା ବୁକୁ ଭେଦି ଝରେ କୁହୁକ ପୀରତି ନିଶା ।।
ଆଖି ପଲକରେ ସ୍ୱପ୍ନର ମେଳଣ ପ୍ରଣୟ ପିଆସୀ ସାଜି
ସପ୍ତ ରଙ୍ଗ ବିଭା ଓଠଧାରେ ଉଭା ପୁଲକ ଝଙ୍କାର ରାଜି ।
ପ୍ରେମାସକ୍ତ ତୃଷ୍ଣା ଅମାନିଆ କାହିଁ ଆଶ୍ଳେଷ ଆଶାୟୀ ମନ
ମଉନାବତୀର ମରମ ଦହନ ଚପଳା ଚମକେ କ୍ଷୀଣ ।।
ପ୍ରେମର ସୁରଭି ବୁଣି ବୁଣି ଯାଏ ଜୀବନର ଅଗଣାରେ
ଅଭିସାରିକାର ବିରହ ସନ୍ତାପ ଭିଜି ଭିଜି ବରଷାରେ ।।