ଆଉ କେତେ ଦୂର ?
ଆଉ କେତେ ଦୂର ?
କେବେଠୁ ଚାଲିବା ଆରମ୍ଭ କରିଛି
ସମୟର ରାସ୍ତାରେ,
କେତେ ଲମ୍ବା ସେ ରାସ୍ତା ?
ଜାଣିଛ କି ? ସତେ ଯେମିତି
ସେ ରାସ୍ତା ସାପ ପରି ଅଙ୍କାବଙ୍କା,
ଜମା ସଳଖ ନୁହଁ, ତା'ଠି
କେତେ ଝଡ଼ଝଞ୍ଜା, ପୁଣି କେତେ ଆଶଙ୍କା
ତଥାପି,
ସେ ବାଟ କଡେ଼ଇ
ତୁମ ଆଡ଼କୁ ।।
ଛ' ମାସର ପଥ
ଆଗେଇ ଆସିଲିଣି,
ସମୟର ପାହାଡ଼ି ପାହାଚକୁ ଡେଇଁ ଡେଇଁ
ପାଦରେ ଛାଲି, ଏବେ ପୁଣି
ବୟସ୍କ ଗଛର ବକ୍କଳ ପରି ଫାଟି ଆଁ
ତଥାପି,
ଏ ବାଟ ସରୁନି କିଆଁ ?
ଏଯାଏଁ ପହଞ୍ଚି ପାରିଲିନି
ମୋ ଗନ୍ତବ୍ୟ ଘର,
ତେବେ କୁହତ !
ତୁମ ମନର ସବୁଜ ବନାନୀ
ଆଉ କେତେ ଦୂର ?

