ପ୍ରୀତିଗାଥା
ପ୍ରୀତିଗାଥା
ମେଘ ବରଷିଲା ଝିଂକାରୀ ଗାଇଲା ଝିଂଝିଂ ସୁରେ ଗୀତ
ତୋ ପାଉଁଜି ପରା ରୁଣୁଝୁଣୁ ଶୁଭେ କାନରେ ମୋହର ମିତ
ନଈ ଆରପାରେ କନକଗୋରୀ ତୁ ଘାଟ ଏ ପାଖରେ ମୁଁ
ଚମକଚାନ୍ଦିନୀ ମେଘ ରୋଷଣିରେ ଝଟକି ଉଠୁଛୁ ତୁ ।
କିଆଫୁଲ ବାସ ଚହଟି ଯାଉଛି କବରୀ ତୋହର ଖୋଲା
କଦମ୍ବର ରାସ ଲାଗିଛି ଏଠି ଲୋ ତୋ ଲାଗି ମନ ମୁକୁଳା
ତନୁପାତଳି ତୁ ଚମ୍ପକବରନା ଅପୂର୍ବ ଭଙ୍ଗିମା ଚାଲି
ଆଗୋ ଲାସ୍ୟମୟୀ ତୋ ପ୍ରୀତିପୁରକୁ ଯିବି ଦିନେ ଧୀରେ ଚାଲି ।
ମେଘ ବରଷୁଛି ରିମିଝିମି ସୁରେ ବେଙ୍ଗୁଲି ଗାଉଛି ଗୀତ
ପୀରତି ଆଶାୟୀ ଚକୋର ମୁଁ ତୋର ତୋ ପାଇଁ ପ୍ରତୀକ୍ଷାରତ
ମାଟିର ମହକ ମହକି ଯାଉଛି ଶିହରାଇ ତନୁମନ
ଆଦ୍ୟ ଆଷାଢ଼ରେ କଳାପୀ ଗାଉଛି ମିଳନର ମଧୁସ୍ଵନ ।
ବରଷାରେ ଦେହ ଭିଜାଇ ଦେଇଛୁ ଝିନବାସ ସିକ୍ତ ଅଙ୍ଗ
ଚଞ୍ଚଳା ଚଞ୍ଚଳେ ଝଟକାଇ ଦିଏ ତୋ ଦେହର ମଧୁରଙ୍ଗ
ଛଳଛଳ ନଈ କଳକଳ ହୋଇ ଗାଏ ଆମ ପ୍ରୀତିଗାଥା
ବରଷା ଆସିଛି ହୃଦ ପୁଲକୁଛି ଦୂର କରି ସବୁ ବ୍ୟଥା ।