ଶ୍ରାବଣ ନୁହେଁ ଫଗୁଣ
ଶ୍ରାବଣ ନୁହେଁ ଫଗୁଣ
କହିଥିଲ ଦିନେ ଆସିବ ମୋ ପାଶେ
ବରଷାରେ ଭିଜି ଭିଜି
ଆସିଲନି ତୁମେ ବରଷା ଫେରିଲା
ଶ୍ରାବଣ ବି ଗଲା ହଜି I
ଭୋଦେଇ ଖରାରେ ଶୁଖାଇଲି ଦେହ
ମନ ମୋର ଗଲା ଶୁଖି
ନଈ ସେପାରିରେ ଭିଜୁଥିଲ ତୁମେ
ଦେଖି ମୋ ଭିଜିଲା ଆଖି I
ଆଶିଣ ଆକାଶେ ଭସା ବାଦଲଙ୍କ
ଲାଗିଥିଲା ପଟୁଆର
ତୁମକଥା ମନେ ଏତେ ଭାବିଲି ଯେ
ନିଦ ହଜିଗଲା ମୋର I
ଧର୍ମ କର୍ମ କିଛି ଅରଜିବି ବୋଲି
କରିଲି କାର୍ତ୍ତିକ ବ୍ରତ
ତୁମ ଭାବନାର ବୋଝ ବୋହି ହେଲା
ଅବଶ ମୋ ଗୋଡ ହାତ I
ଶରତ ଆସିଲା ଜହ୍ନ ଆଲୁଅରେ
ଆସିଲା ପାର୍ବଣ ଖୁସି
ନଈପଠା ବଣେ କାଶଫୁଲ ସବୁ
ଆନନ୍ଦେ ଉଠିଲେ ହସି I
ଫଗୁଣରେ ତୁମେ ରଙ୍ଗ ବୋଳିହୋଇ
କେଉଁଠି ଲୁଚିଲ କୁହ
ମୋ ଖୁସି ଜୁଆର ଉଛୁଳିଲା ଯେବେ
ଦେଖିଦେଲି ତୁମ ମୁହଁ I