ଅଚାନକ ବର୍ଷା
ଅଚାନକ ବର୍ଷା
ମଝି ରାସ୍ତାରେ ଅଚାନକ ବର୍ଷା,
ବାଟୋଇକୁ ଏମିତି ଏକ ଅଜଣା ଜାଗାରେ ଅଟକାଇ ଦିଏ
ଯେଉଁଠି ସେ ତା'ର ସୀମିତ କାର୍ଯ୍ୟ ବ୍ୟସ୍ତତା
ଆଉ ସ୍ଵାର୍ଥକୈନ୍ଦ୍ରିକ ଜୀବନରୁ
କେବେ ସମୟ କାଢି କ୍ଷଣକେ ମାତ୍ର
ଠିଆହୋଇ ପାରି ନଥାନ୍ତା ।
ପୁଣି ଏମିତି ଲୋକଙ୍କ ସହ ଭେଟ କରାଇଦିଏ,
ଯାହାକୁ ସେ କେବେ ଆଗରୁ ଭେଟି ନଥାଏ
ନା ପରେ କେବେ ଆଉ ଭେଟିବା ସମ୍ଭବ ହୁଏ ।
ଏହି କିଛି ସମୟ ଭିତରେ ଆଶ୍ରୟ ନେଇଥିବା
ଲୋକଙ୍କ ମଧ୍ୟରେ ଗଢ଼ିଉଠେ ଏକ ନିସର୍ତ୍ତ ସମ୍ପର୍କ
କେହି କାହାର ପରିଚୟ ନଜାଣି
ନିଜ ପରିଚୟକୁ ପଛରେ ପକାଇ
ମଣିଷ ଅନ୍ତରଙ୍ଗ ହୋଇଉଠେ
ଆଉ ହୃଦୟ ଖୋଲି ବାଣ୍ଟିଦିଏ
କେତେ ଯେ ଅକୁହା କଥା ।
ଅଟକ ଥିବା ତାର ଦେହରୁ ଝରିଯାଏ
ଜୀବନର କିଛି କୋହ ଆଉ ବ୍ୟର୍ଥତା
ବାହାରର ବର୍ଷା ସହ ସମସ୍ବରରେ ତାଳଦେଇ ।
କିଛି ସମୟପରେ ବର୍ଷା ଥମ୍ବେ,
ରାସ୍ତାଘାଟ ଆଗ ଅପେକ୍ଷା ଅଧିକ ପରିଷ୍କାର ଦେଖାଯାଏ,
ବୃକ୍ଷଲତା ସବୁ ଦିଶେ ଅଧିକ ସତେଜ ।
ଚଢ଼େଇ ସବୁ ଡେଣା ଝାଡି ଉଠନ୍ତି,
ସେଇଠି ସେଇ କିଛି ମଣିଷଙ୍କ ସହ ଗୋଟେ କୋଣରେ
ଚୁପଚାପ୍ ଶୋଇ ଶୁଣୁଥିବା ବୁଲା କୁକୁରଟି
ଟିକେ ବାହାରକୁ ଆସି ତା'ର ଦରଭିଜା
ଦେହକୁ ଝାଡ଼ି ବାହାରି ପଡ଼େ ।
ମଣିଷ ବି ଠିକ୍ ସେମିତି ଅଜଣା ଜାଗା
ଆଉ ଅଜଣା ଲୋକଙ୍କ ପାଖରେ
ତା ଜୀବନର କିଛି କ୍ଷଣ ଝାଡିଦେଇ ବାହାରି ପଡ଼େ,
ମୁହଁରୁ ବିଦାୟ ନକହି, ବର୍ଷା ଛାଡ଼ିଲା ,
ଏବେ ଯିବା କହି, ବିଦାୟ ନିଏ ।
ଅଚାନକ ବର୍ଷା ଯୋଗୁଁ ଭରିଯାଇଥିବା
ସେହି ଅଜଣା ଆଶ୍ରୟସ୍ଥଳଟି
ଆଖିକୁ ଶୂନ୍ କରି ପଡ଼ିରହେ ,
ଚାହିଁରହେ ବୋଧହୁଏ ଚଳଚଞ୍ଚଳ ସେହି ରାସ୍ତାକୁ ,
ଅଚାନକ ବର୍ଷାକୁ
ଆଉ କିଛି ପରସ୍ପର ଅଜଣା ମଣିଷଙ୍କୁ।
