STORYMIRROR

Biplab Pati

Abstract

2  

Biplab Pati

Abstract

ଅବ୍ୟକ୍ତ ଅନୁଭବ

ଅବ୍ୟକ୍ତ ଅନୁଭବ

1 min
185


ଏମିତି ପବନ ପରି ମୋତେ ଛୁଇଁ 

ତୁ ଦିନେ ଚାଲିଯିବୁ 

ମୁଁ ଜାଣିଥିଲି

ହାତ କି କାନି କିଛି ବି ପତେଇଲିନି 

 କାହିଁକିନା

ମୁଠା କି ଗଣ୍ଠି କୋଉଥିରେ ବି 

ବାନ୍ଧି ହେବନି ତୋତେ

ସେଇଥିପାଇଁ ତ ଦେହ ପତେଇଲି 

ଛାତି ବି ଖୋଲି ଦେଲି 

ତୋ ପାଇଁ...

କାଳେ ସବୁଦିନେ ଘର କରି 

ରହିଯିବୁ ଛାତିରେ


ନିଶ୍ୱାସ ହୋଇ ଆସିବୁ 

ଆଉ ଗଲାବେଳେ ଦେଇଯାଉଥିବୁ 

ଫି' ଥର ଫେରିଆସିବାର ବିଶ୍ଵାସ

ୟା ଭିତରେ ବଢିଯାଉଥିବ

ମୋ ବିଶ୍ୱାସର ବୟସ,

ତାରା ପରି 

ମୋ ଭୋକ ଓ ଆବେଗର କଣ୍ଟା ପିଟି 

କେତେଦିନ ମହାଶୂନ୍ୟରେ ଝୁଲେଇ ରଖିହେବ 

ସେ ଆଶାର ଆକାଶ

ବେଳ ଅବେଳରେ 

ବିଶ୍ୱାସର ଦେହରେ ବି 

କୁଜ ପକେଇଦିଏ ଆୟୁଷ

    

ଏବେ ପବନରୁ

 ଝଡ଼ ହେବୁ ତ ହେଇ ଯା

ଉଡିଯାଉ ଆଖି ଆଗେ 

ଆକାଶକୁ ଦେଖେଇଦେଉ ନ ଥିବା ଛପର

ଫାଟିଯାଉ ଦେହକୁ ଛୁଏଁଇ

 ଦେଉ ନଥିବା ମାଟି...କାନ୍ଥ


ଝଡ଼ ଛାତି ଫଟେଇ ଦେବାପରେ 

ଦେଖିବୁ

ଏଥର ଆଖିର ଲୁହ ଟୋପା ପିଇ 

 ପ୍ରେମଟିଏ ସତରେ ଗଜା ହେବ


 ଯାହାକୁ କାନ କି ଆଖିରେ

 ନା ଶୁଣି ହେବନା ଦେଖିହେବ

  ସେଇଥିପାଇଁ ତ 

 ମୁଁ ଜମା ସ୍ବପ୍ନ ଦେଖେନି

ବରଂ ନିଇତି ଆଇନା ଦେଖେ 

 ତା ଆଗେ ଦୁଃଖକୁ ମାଜେ, ରଗଡ଼େ

 ଲୋଚାକୋଚା ମନକୁ

 ଆଶ୍ୱାସନା ର ପ୍ରସାଧନୀ ଲିପି ଠିଆ ହୁଏ

ବାହନାର ବାଜଣାରେ ବୋଧକରେ ,

ଶୁଆଇ ଦିଏ ଏକଦମ ଏକଲା କରି

ଅସହାୟତାର ଗହମ କିଆରୀରେ

କିନ୍ତୁ ମାରି ପାରେନି

ବାହାନାରେ ଖୁବ ବଂଚିହୁଏ ନା ଜୀବନ


  କହିପାରିବୁ

କେଉଁ କବାଟ କିଳି ଅଟକେଇ ହୁଏ ସମୟକୁ 

ଜାଣିଛି ବେଙ୍ଗ କାନ୍ଦିଲେ ବର୍ଷା ହୁଏନି

 ବରଂ ବର୍ଷା ହେଲେ ବେଙ୍ଗ କାନ୍ଦେ

ସାରୁବୁଦାମୂଳେ ଛାତି ଫଟେଇ ଦିଏ

ସାରୁ ପତ୍ର ଫିଙ୍ଗିଦିଏ ତା

ସବୁତକ ଲୁହ 

ଦୁଃଖ ସବୁକୁ ଚଉତେଇ ଡଙ୍ଗା କରି 

 ଲୁହରେ ଭସେଇ ଦେବାପରେ

ଦେଖେ ଦୂରରେ କେଉଁଠି ଗୋଟେ

ନିଶ୍ଚେ ମାଟି ସହ ମିଶି ଯାଇଛି ଆକାଶ

ମେଘରୁ ଓହଳି ପଡ଼ି ଧରି ନେଇଛିି, 

ପାହାଡ଼ ପରି ଗୋଡ଼ଟେକି ଠିଆ ହୋଇଥିବା

 ମାଟିର ହାତ


ପାରୁଛୁତ ଥରୁଟେ ଅନୁଭବ କରିନେ

ଆକାଶ ଓ ମାଟି ଫାଟିବା ପରେ ବି

ଢେର ଢେର ଲୁହ ବର୍ଷିଛି ଏଠି

ପ୍ରେମରେ ସତ୍ତା ହରେଇ

ସମ୍ଭାବନାଟେ କଅଁଳିବାର ସୁଖରେ


ଅନୁଭବ କରି ନ ପାରିବାର ଦୁଃଖ

 ହୁଏତ କେବେ ତୋତେ ଘାରିପାରେ 

ହେଲେଵି

ତୁ କହ

ଅନୁଭବର ପ୍ରତିଶବ୍ଦଟେ କାହିଁ କୋଉଠି ଅଛି

 କୋଉ ଅଭିଧାନରେ      

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract