ଅବସାଦ
ଅବସାଦ
ଚିତ ଯେବେ ଜଳେ , ଜଠର ନିଆଁରେ
ଜଳେ ନାହିଁ ଖାଲି ଜୀବ
ସପନ ଜଳିଲେ ଚିତର ନିଆଁରେ
ରହିଯାଏ ଖାଲି କ୍ଷୋଭ।
ସପନର ବନ୍ଧ ଭାଙ୍ଗିଯାଏ ସବୁ
ରହିଯାଏ ଅବଶୋଷ
ଭାଳି ଭାଳି ସିନା ଦିନ ବିତି ଯାଏ
ଜୀବନ ହୁଅଇ ଶେଷ ।
ଭାଙ୍ଗି ଯାଏ ମନ ସ୍ଥାଣୁ ପ୍ରାୟ ଜନ
ଚିନ୍ତା କରିଦିଏ ଗ୍ରାସ
ମାଦଳା ପିଣ୍ଡଟି ପଡ଼ି ରହି ଥାଏ
ମୂକ ବଧିର ର ବସ ।
କର୍ମର ପଥରେ ପଡ଼ିରହେ କଣ୍ଟା
ବାଟ ଯେ ଅବାଟ ହୁଏ
ମରିଚିକା ଲୋଭେ ତୃଷାତୁର ହୋଇ
ବାଟ ଖାଲି ଚାଲୁ ଥାଏ ।
ବିଷ ତୁଲ୍ୟ ହୁଏ ସବୁ ମିଠା କଥା
ବଞ୍ଜର ହୁଅଇ ମନ
ଧୂଳି ପ୍ରାୟେ ସବୁ ଉଡିଯାଏ ସ୍ବପ୍ନ
ଅଲୋଡ଼ା ହୁଅଇ ଧନ ।
ଅମାପ ଶକ୍ତିର ଅବସାନ ଘଟେ
କର୍ଣ୍ଣ ଭଳି ହୁଏ ହତ
ଭଲ ଭାନ୍ତି ସବୁ ଜଳିପୋଡ଼ି ଯାଏ
ସମାଜ ଭାବଇ କ୍ଷତ ।
ଜଳୁ ଥାଏ ମନ
ଜଳେ ତ ସପନ
ଜଳି ଜଳି ଅବସାନ
ଜଳି ଜଳି ଅବସାନ ।