ଅବୋଲକରା କାହାଣୀ
ଅବୋଲକରା କାହାଣୀ
ଗପଟିଏ କହୁଁ ଗପଟିଏ କହୁଁ
ଶୁଣ୍ରେ ଅବୋଲକରା
କେତେ ମୁଁ କହିଲି ରହିଯା ରହିଯା
ଭରିଲୁ ସ୍ମୃତି ପସରା ।
ସପନ ରାଇଜ ରାଜକୁମାର
ସ୍ୱର୍ଗ ରାଇଜର ପରି
ପହିଲି ମିଳନ ରୋକିଦେ ରେ ରାତି
ଦେଖିବେ ନୟନ ଭରି ।
ବାନ୍ଧି ରଖିବାକୁ କେତେ ଇଛା ଥିଲା
କଳ୍ପନାଭରା ତୋ କୋଳ
ଆଗରେ ବସିଛି ଏତେ ବଡ଼ ହାଟ
କହିଲୁ ଯାଅ ସମ୍ଭାଳ ।
ନମାନି ରଖିଲୁ ଦୁଃଖ ସୁଖ ଚହି
ପସରା ମଧ୍ଯେ ସଜାଇ
ହସିଲା ବେଳକୁ କାନ୍ଦର କଣ୍ଢେଇ
କାନ୍ଦେ ହସମୂର୍ତ୍ତି ଥୋଇ ।
ଦିନ ମାସ ବର୍ଷ ଯୁଗ ତୁ ଆଣିଲୁ
ତଥାପି ସ୍ୱପ୍ନ ସାଗରେ
ଭାସିବାକୁ ମନଯୁଗଳ ଚଞ୍ଚଳ
ଖୁସି କଣ୍ଢେଇ ଆଶାରେ ।
ଜାଣିଛି ତୁ ବୋଲ ମାନିବୁନି କେବେ
କରୁନାହୁଁ ମନ ଊଣା
ବିଶ୍ୱ ମଧୁମୟ ହେଉରେ ସମୟ!
ଦେଉଛୁ ଆୟୁ ପାଉଣା।
ଜଗଜ୍ଜନ ହିତ ଆଶେ କର୍ମରତ
ଜ୍ଞାତି ପରାପର ଭୁଲି ।
ବିଭୁଙ୍କ କରୁଣା କରିବୁନି ଊଣା
ତନ୍ମୟେ ଭରିବୁ ଝୋଲି ।