ଅଭୁଲା ରାଇଜେ ଅଲିଭା ସ୍ମୃତି
ଅଭୁଲା ରାଇଜେ ଅଲିଭା ସ୍ମୃତି
ମନ ତଳ ହେଲେ ଅଭୁଲା ରାଇଜ
ବିଗତ କଥା ହିଁ ଅଲିଭା ସ୍ମୃତି
କୋଳରେ ତହାରି ବିଚରଣ କରି
ସୁଖଦୁଃଖ ଫୁଲ ସାଉଁଟେ ନିତି ।
କେବେ ବାସ୍ନାୟିତ ମଧୁର ପରଶ
କେବେ ଘନ ଘନ ତୋଳେ ନିଃଶ୍ବାସ
ପରିସ୍ଥିତି ସାଥେ ତାହାଠି ହଜିବା
ପ୍ରତି ମଣିଷର ପରା ଅଭ୍ୟାସ ।
ଖୋଜିବାକୁ ତାକୁ କାହିଁକି ଅଧୀର
ପାରେ ନାହିଁ କହି କେହି ଚେତନ
ସ୍ରଷ୍ଟାଙ୍କର ସୃଷ୍ଟି କେତେ ଯେ ବିଚିତ୍ର
ସ୍ବପ୍ନ ସମ ଏଠି କଟଇ ଦିନ ।
କିପରି ଭୁଲିବ ଜୀବନର ସେହି
ଅଲିଭା ଗାଥାକୁ ଭାବି ପାରେନା
ବିତି ଯାଇଥିବା ପ୍ରତିଟି ମୁହୂର୍ତ୍ତ
ଅବିଚ୍ଛେଦ୍ୟ ଅଙ୍ଗେ ଯେହେତୁ ଗଣା ।
କେତେ ଅବନତି କେତେ ବି ଉନ୍ନତି
ଜୀବନ ସଂଗ୍ରାମେ ବୁଝଇ ମନ
ରୋମନ୍ଥନେ ତାକୁ ମିଳଇ କି ସତେ
ହୀରା ମୋତି ସମ ଅପାର ଧନ !
ଫୁଲ କଣ୍ଟା ଭରା ହେଲେ ବି ରାଜ୍ୟଟି
ସେଥିରେ ବୁଲିବା ମାନବ ଧର୍ମ
ହସ ଲୁହେ ଭିଜି ଚଳଇ ନିଇତି
ସ୍ମୃତି ସାଥେ ପାଳି ନିଜ କରମ ।।
