ଅଭୁଲା ମୁହୂର୍ତ୍ତ କିଛି....
ଅଭୁଲା ମୁହୂର୍ତ୍ତ କିଛି....
ଆଜି ଏହି ନିସ୍ତବ୍ଧ ରାତ୍ରିର ସାଥିରେ
ଏକା ଏକା ବସି ଯେବେ ଭାବେ,
ସେହି ଅଭୁଲା ମୁହୂର୍ତ୍ତ କିଛି କହେ
ରହିଛି ତୁନି ହୋଇ, ସତେଜ ଲାଗେ |
ଅନ୍ଧକାର ଘୋଟି ଅଛି, ଦେଖି ପାରୁଛି
ଆକାଶର ତାରା ମୋତେ ଆଖି ମାରୁଛି,
ସତେ ସେହି ଅଭୁଲା ମୁହୂର୍ତ୍ତ କିଛି
ସିଏ ଏବେ ସବୁ ଜାଣି ପାରିଛି |
କେମିତି କହିବି ଏବେ ତାକୁ ଭାବୁଛି
ଅତୀତର ସେହି ଖଟା ମିଠା କଥା,
ସେହି ଅଭୁଲା ମୁହୂର୍ତ୍ତ କିଛି ଏବେ
ହୋଇଛି ମୋର ଅତୀତର ଖାଲି ସ୍ମୃତିରେଖା |
ଯେବେ ମନେ ପଡ଼ିଯାଏ ସେଥିରୁ କିଛି
ଫେରିଯାଏ, ଭାବେ ମୋର ସେହି ଯୌବନକୁ,
ଅଭୁଲା ମୁହୂର୍ତ୍ତ କିଛି ସିଏ ପରା
ରହିଛି ମାନସରେ, କେମିତି ଭୁଲିବି ତାକୁ ?
ସେହି ନୂଆ ନୂଆ ସ୍ବପ୍ନ ସବୁ
କରିଥିଲା ସତେ ଅବା କେତେ ପାଗଳ,
ହୋଇଯିବ ଅଭୁଲା ମୁହୂର୍ତ୍ତ କିଛି ସିଏ
ଭାବିବାକୁ ସେବେ କେବେ ନଥିଲା ବେଳ |
ଭଲପାଇବାର ସେହି ନୂଆ ନୂଆ ନିଶା
ଦେଉଥିଲା ପ୍ରେମ ମଦିରା କିଛି ଉନ୍ମାଦନା,
ସେହି ଅଭୁଲା ମୁହୂର୍ତ୍ତ କିଛି ପଚାରୁଛି
କିଏ କାହା ସଙ୍ଗେ କରୁଥିଲା ଛଳନା |
ସେହି ନିଶାରେ ଥିଲା ସୁନ୍ଦର ଭାବନା
ଭୁଲିଥିଲି ନିଜ ସ୍ୱାର୍ଥ ସମୂହଙ୍କ ପାଇଁ,
ଅଭୁଲା ମୁହୂର୍ତ୍ତ କିଛି ସେହି ସାକ୍ଷୀ
ଲଢୁଥିଲି ମିଥ୍ୟା କପଟ ସଙ୍ଗେ ଏକାହୋଇ |
ସେଥିପାଇଁ ପାଇଲି ଖାଲି ମିଥ୍ୟା ଦଣ୍ଡ
ଅତ୍ୟାଚାର ଶକ୍ତିଶାଳୀ ହୋଇ ଜିତି ଗଲା,
କହୁଛି ସେହି ଅଭୁଲା ମୁହୂର୍ତ୍ତ କିଛି
ଯାହା କିଛି ଖୁସି କଷ୍ଟ ଦେଇଥିଲା |
ତଥାପି ହାରି ନାହିଁ ତ କେବେ
ଛାଡି ନାହିଁ କିଛି ସେହି ଭାବନା,
ଏବେ ସେହି ଅଭୁଲା ମୁହୂର୍ତ୍ତ କିଛି
କହୁଛି,ଜଗାଇ ମୋର ସୁପ୍ତ ଚେତନା ।
