Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Inspirational

4  

Prabodha Chandra Mudra

Inspirational

ଅଭିଶପ୍ତ କର୍ଣ୍ଣ

ଅଭିଶପ୍ତ କର୍ଣ୍ଣ

4 mins
375


ଆର୍ଯ୍ୟ ସଂସ୍କୃତିର ଶ୍ରେଷ୍ଠ ପୁରାଣଟି ଅଟଇ ମହାଭାରତ

କୃଷ୍ଣ ଦ୍ବୈପାୟନ ବ୍ଯାସଙ୍କ ଦ୍ଵାରା ଏହା ହୋଇଅଛି ରଚିତ ।


ବ୍ୟାସଦେବଙ୍କ ଆଜ୍ଞରେ ଶ୍ରୀଗଣେଶ ଯେ କରିଥିଲେ ଲିଖନ

ଏକଲକ୍ଷ ଶ୍ଳୋକେ ଏ ବୃହତ୍ତମ ଗ୍ରନ୍ଥ ହୋଇଅଛି ସମ୍ପୂର୍ଣ୍ଣ ।


କୁରୁ-ପାଣ୍ଡବଙ୍କ ଭ୍ରାତୃ ବିବାଦୁ ସୃଷ୍ଟି ହେଲା ମହାଭାରତ

ସତ୍ଯ,ଧର୍ମ,ନ୍ୟାୟ ହୋଇଲା ବିଜୟ ଅଧର୍ମର ପରାହତ ।


କୁରୁ-ପାଣ୍ଡବଙ୍କ ଅଜ୍ଞାତ ଅଗ୍ରଜ ନଥିଲା ମୋ ପରିଚୟ

ସୂର୍ଯ୍ୟ ଓ କୁନ୍ତୀଙ୍କ ଗର୍ଭରୁ ଜନମି ହେଲି ମୁଁ ଅନାମଧେୟ ।


ମୋ ଜନ୍ମ ବୃତ୍ତାନ୍ତ କହୁଅଛି ମୁହିଁ ସୁଧିବର୍ଗ ଦେବେ ଧ୍ୟାନ   

ଏକଦା ଦୁର୍ବାସା କୁନ୍ତଭୋଜ ରାଜ୍ଯେ ପ୍ରବେଶିଲେ ତତକ୍ଷଣ ।


ଋଷିଙ୍କ ସ୍ବାଗତ ପୂଜା ଓ ସେବାର ବିଳମ୍ବ ହେବା କାରଣ

ହୁତାସନ ସମ କରିଣ ଚିତ୍କାର କ୍ରୋଧେ ହେଲେ ପ୍ରଜ୍ଜ୍ବଳନ ।


ସେହି ସମୟରେ ରାଜଜେମା କୁନ୍ତୀ ଋଷିଙ୍କ ପାଦେ ଶରଣ

ସଭକ୍ତିରେ କରି ଗୁରୁ ପାଦପୂଜା ତୋଷିଲେ ତାଙ୍କର ମନ ।


କୁନ୍ତୀଙ୍କ ସେବାରେ ହୋଇ ସୁପ୍ରସନ୍ନ ଦେଲେ ଶ୍ରେଷ୍ଠ ବରଦାନ

କର୍ଣ୍ଣରେ ତାହାଙ୍କ ଦେଲେ ଦିବ୍ଯମନ୍ତ୍ର ଦେବତା ବଶୀକରଣ ।


ମାତାଙ୍କ ଆଦେଶେ ପ୍ରତ୍ଯହ କୁନ୍ତୀ ସୂର୍ଯ୍ୟଙ୍କୁ ଦ୍ଯନ୍ତି ଜଳଦାନ

ସୂର୍ଯ୍ୟଙ୍କର ଦିବ୍ଯ ସ୍ବରୂପକୁ ଦେଖି ହୋଇଗଲେ ସମ୍ମୋହନ ।


ଋଷଙ୍କ ଅମୋଘ ଵରର ପରୀକ୍ଷା କରିଲେ କୁନ୍ତୀ ତତ୍କ୍ଷଣ

ପ୍ରଦତ୍ତ ମନ୍ତ୍ରକୁ କରି ସ୍ମରଣ ସୂର୍ଯ୍ୟଙ୍କୁ କଲେ ଆବାହନ ।


ମନ୍ତ୍ର ପ୍ରଭାବରେ ହୋଇ ବଶୀଭୂତ ସୂର୍ଯ୍ୟଙ୍କର ଆଗମନ

କୁନ୍ତୀ ପୁରୋଭାଗେ ସବିତା ଦେବତା କରିଥିଲେ ପଦାର୍ପଣ ।


କାହିଁକି ହେଦେବି!ମୋତେ କରିଲ ସ୍ମରଣ କିବା ପ୍ରୟୋଜନ

ଋଷିଙ୍କ ପ୍ରଦତ୍ତ ବରକୁ ପରୀକ୍ଷା କରୁଥିଲି ଭଗବାନ ।


ଅଧୁନା ଆପଣ କୃପୟା ଏଠାରୁ କରନ୍ତୁ ପ୍ରତ୍ଯାବର୍ତ୍ତନ

ବିନା ବରଦାନେ ମୁଁ ଏଠାରୁ ନକରି ପାରିବି ତ ପ୍ରସ୍ଥାନ ।


ଯହାଇଚ୍ଛା ତାହା ବର ଦେଇ ମୋତେ ନିଅନ୍ତୁ ଏଠୁ ବିଦାୟ

ବୀରପୁତ୍ର ଏକ କରୁଛି ପ୍ରଦାନ ଦେଉଛି ବର ଅଭୟ ।


କୁମାରୀ କନ୍ୟା ମୁଁ ଅଟଇ ଅନୁଢା ମାତୃତ୍ବ ଯେ ନିନ୍ଦନୀୟ

ଋଷିବାକ୍ଯ କେବେ ନ ହେବ ଅନ୍ୟଥା ଏ କଥା ଅଟେ ନିଶ୍ଚୟ ।


ବର ରୂପେ ଦେବି ପୁତ୍ରଟିଏ ମୁହିଁ ମୋପରି ଯେ ତେଜୀୟାନ

ଶୌର୍ଯ୍ୟ,ବୀର୍ଯ୍ଯଓ ଔଦାର୍ଯ୍ଯରେ ପୂର୍ଣ୍ଣ ହେବସେ ମହାଶକ୍ତିବାନ।


ଦେବତ୍ବ ସୁଲଭ ଗୁଣେ ହୋଇ ମହାଜ୍ଞାନୀ ରଖିବ ସୁଯଶ

ମହାଦାନୀ ଭାବେ ହୋଇବ ପ୍ରସିଦ୍ଧ ଦେଖାଇ ଆତ୍ମପୌରୁଷ ।


ମହାବୀର ରୂପେ ଲଭିବ ସେ ଖ୍ୟାତି ନାମ ହେବତା'ର 'କର୍ଣ୍ଣ'

ତା'ର ସମକକ୍ଷ ମହାଯୋଦ୍ଧା କେହି ନଥିବେ ପୁଣି ଶତ୍ରୁଘ୍ନ ।


ଏହିପରି ବର ଦେଇ ଅଂଶୁମାଳୀ ହୋଇଗଲେ ଅନ୍ତର୍ଦ୍ଧାନ

ଚିନ୍ତାରେ ଅସ୍ଥିର ହୋଇ କୁନ୍ତୀଦେବୀ ଭୟେହେଲେ ବେପମାନ।


ନିର୍ଦ୍ଦିଷ୍ଟ ସମୟେ ପୁତ୍ରସନ୍ତାନକୁ କୁନ୍ତୀଦେବୀ ଦେଲେ ଜନ୍ମ  

କବଚ-କୁଣ୍ଡଳେ ହୋଇ ବିଭୂଷିତ ଦିବ୍ଯ କାନ୍ତି ଅନୁପମ ।


ଲୋକଲଜ୍ଜା ପୁଣି ଅପମାନ ଭୟ ନ ପାରିଲେ କିଛି ଭାବି

ପୁତ୍ରକୁ ନିକଟେ ରଖିଲେ ମୁଁ ନିଶ୍ଚେ ଗାଳି-ନିନ୍ଦା ଯେ ପାଇବି ।

କିଂ କର୍ତ୍ତବ୍ଯ ବିମୂଢ଼ ହୋଇ କୁନ୍ତୀମାତା ମଞ୍ଜୁଷାରେ ରଖି ପୁତ୍ର

ଜାହ୍ନବୀର ସ୍ରୋତେ ଭସାଇ ପୁତ୍ରକୁଶୋକେ ହେଲେ ଜର୍ଜରିତ।


ଭାସି ମଞ୍ଜୁଷାଟି ବହୁଦୂରେ ଯାଇ ଲାଗିଲା ଏକ କୂଳରେ

'ଅଧିରଥ'ନାମେ ରଥର ସାରଥି ଦେଖିଲେ ଯେ ସ୍ବଚକ୍ଷୁରେ ।


ମଞ୍ଜୁଷାକୁ ଆଣି ଦେଖିଲେ ସାରଥି ତନ୍ମଧ୍ଯେ ଦିବ୍ଯ କୁମର

ଲାଳନପାଳନ ପାଇଁ ନିଜ ପତ୍ନୀ ହାତେ ଦେଲେ ଯେ ସତ୍ବର ।


ନିଜ ପୁତ୍ରଠାରୁ ଅଧିକ ସ୍ନେହରେ'ରାଧା' ଶିଶୁକୁ ପାଳିଲେ

ପିତାମାତା ଦୁହେଁ ଅତିସରାଗରେ'ରାଧେୟ'ନାମଟି ଦେଲେ ।


ଯେବେ ମୁଁ କୌମାର ହେଲି ପିତା ସାଥେ ନେଇଗଲେ

ହସ୍ତିନାନରେଶ ଧୃତରାଷ୍ଟ୍ରଙ୍କ ସମୀପେ ମୋତେ ପହଞ୍ଚାଇଲେ ।


ସମ୍ରାଟଙ୍କ ସହ ରାଣୀ ଗାନ୍ଧାରୀ ସଭାରେ ଉପସ୍ଥିତ ଥିଲେ

ରାଜାଙ୍କ ଛାମୁରେ ସକଳ ବୃତ୍ତାନ୍ତ ବିଶଦରେ ବର୍ଣ୍ଣିଥିଲେ ।


ନିର୍ଭିକ ଓ ସାହସକୁ ଦେଖି ରାଜାସାବାସୀ ଜଣାଇଥିଲେ

ହସ୍ତିନାର ଯୁବରାଜଙ୍କ ସହିତ ମୋର ଭେଟ କରାଇଲେ ।


ପର୍ଶୁରାମ ଶିଷ୍ୟ ଗୁରୁଦ୍ରୋଣାଚାର୍ଯ୍ଯ କର୍ଣ୍ଣଙ୍କୁ ଯେ ଶିକ୍ଷାଦେଲେ

ପରୀକ୍ଷା-ନିରୀକ୍ଷା କରିସାରି ଗୁରୁ ବହୁବିଦ୍ଯା ଶିଖାଇଲେ ।


ଅସ୍ତ୍ରଶସ୍ତ୍ର ସହ ଚତୁର୍ଦ୍ଦଶ ବିଦ୍ଯା ଅଧ୍ୟୟନ କରିଥିଲେ

ସମସ୍ତ ବିଦ୍ଯାରେ ହେଲେ ପାରଙ୍ଗମ ଗୁରୁଙ୍କର କୃପାବଳେ ।


ବ୍ରହ୍ମାସ୍ତ୍ରର ଶିକ୍ଷା କର୍ଣ୍ଣଙ୍କୁ ଯେ ଗୁରୁ କେବେ ସେ ଦେଇନଥିଲେ

ତଥାପି ସେ ଥିଲେ ଅଦ୍ବିତୀୟ ବୀର ଏ ସମଗ୍ର ଭୂମଣ୍ଡଳେ ।


ଅନ୍ବେଷଣ କରି ଦ୍ବିତୀୟ ଗୁରୁଙ୍କ ପର୍ଶୁରାମ ପାଶେ ଗଲେ

ସଭକ୍ତିରେ କର୍ଣ୍ଣ ହୋଇ ପ୍ରଣିପାତ ନିଜ ଇଚ୍ଛା ଜଣାଇଲେ ।


ଆତ୍ମ ପରିଚୟ ଗୁପ୍ତ ରଖି କର୍ଣ୍ଣ ବ୍ରାହ୍ମଣ ବୋଲି କହିଲେ

ଅତି ଶରଧାରେ ଗୁରୁ ଯେ ଶିଷ୍ଯକୁ ବିଦ୍ଯା ଶିକ୍ଷା ଦେଇଥିଲେ ।


ଶିକ୍ଷା ଅନ୍ତେ ଗୁରୁଙ୍କୁ ଦକ୍ଷିଣା ପାଇଁ ଶିଷ୍ୟ କଲେ ନିବେଦନ

ତୁମ ଶିଷ୍ଟାଚାରେ ହୋଇଛି ସନ୍ତୁଷ୍ଟ ଦକ୍ଷିଣା ନିଷ୍ପ୍ରୟୋଜନ ।


ଏକଦା ମଧ୍ଯାହ୍ନେ ଗୁରୁ ଯେ ଶିଷ୍ଯଙ୍କାଙ୍କରେ ନିଦ୍ରା ଯାଇଥିଲେ

ବଜ୍ରକୀଟ ଏକ କର୍ଣ୍ଣଙ୍କ ଜଙ୍ଘକୁ କାମୁଡ଼ି ରକ୍ତାକ୍ତ କଲେ ।


ଅସହ୍ଯ ଯନ୍ତ୍ରଣା ସହ୍ୟ କରି ଶିଷ୍ଯ ନିଦ୍ରାରେ ବାଧା ନ ଦେଲେ

ଉଷ୍ଣରକ୍ତ ସ୍ପର୍ଶେ ତତ୍କାଳ ଗୁରୁ ସୁସୁପ୍ତିରୁ ଜାଗ୍ରତ ହେଲେ ।


ଏହା ଦେଖି ଗୁରୁ ଅତିଶୟ କ୍ରୋଧେ ହୋଇଗଲେ ଜର୍ଜରିତ

ତୁ ନୁହେଁ କଦାପି ବ୍ରାହ୍ମଣ ସନ୍ତାନ ନିଶ୍ଚୟ କ୍ଷତ୍ରିୟ ସୁତ ।


ମୋ ପ୍ରଦତ୍ତ ବିଦ୍ଯା ଠିକଣା ସମୟେ ସବୁ ହେବ ଯେ ନିଷ୍ଫଳ

ବିସ୍ମରଣ ହେବ ସେହି ବିଦ୍ଯା ଜ୍ଞାନ କାର୍ଯ୍ଯେ ହେବୁ ଅସଫଳ ।


ସାରା ଜୀବନର ସାଧନାରଫଳ ହୋଇଗଲା ସବୁ ନଷ୍ଟ

ଗୁରୁଙ୍କ ଶାପରେ ହେଲି ଅଭିଶପ୍ତ ହେଲା କି ମୋ ବୁଦ୍ଧିଭ୍ରଷ୍ଟ ।


ଘଟଣାକ୍ରମରେ ସୁଯୋଧନ ସହ କର୍ଣ୍ଣଙ୍କ ହେଲା ମିତ୍ରତା

ଆଜୀବନ ଦୁହେଁ ଦୁହିଁଙ୍କ ପାଇଁ କି ହୋଇଗଲେ ନିବୀଡତା ।


କୃଷ୍ଣା ସ୍ବୟମ୍ବରେ କର୍ଣ୍ଣଙ୍କ ସହିତ ଥିଲେ ଯୁବରାଜ ଗଣ

ସୂତପୁତ୍ର କହି ଦ୍ରୌପଦୀ ତାହାଙ୍କୁ କରିଥିଲେ ଅପମାନ ।


ଅକୁଣ୍ଠିତ ଚିତ୍ତେ ଦାନକରି କର୍ଣ୍ଣ ହୋଇଗଲେ ମହାଦାନୀ

ଦାନଧର୍ମ ଥିଲା ଜୀବନର ବ୍ରତ ଶ୍ରେଷ୍ଠଠତ୍ବରେ ସ୍ବାଭିମାନୀ ।


ନିୟତିର ନୀତି ଅତୀବ ନିଷ୍ଠୁର କେ କରି ପାରିବ ଆନ

କପାଳରେଯାହା ହୋଇଥାଏ ଲେଖା ତାହା ନିଶ୍ଚେ ଫଳେ ଜାଣ।


କପଟ ଓ ବ୍ଯାଜେ ହୋଇ ବଶବର୍ତ୍ତୀ ସୁରେ କରନ୍ତି ଅସାର

ସ୍ବାର୍ଥସିଦ୍ଧି ପାଇଁ ବ୍ରାହ୍ମଣ ରୂପରେ ଇନ୍ଦ୍ର କଲେ ଅବିଚାର ।


ଦାନରୂପେ ମାଗି କବଚକୁଣ୍ଡଳ ନେଲେ ସେ ଅତି ଚତୁରେ

ବୃହତ ସ୍ବାର୍ଥକୁ ଦେଇ ଜଳାଞ୍ଜଳି ଦାନ କଲେ ନିର୍ଭୟରେ ।


ମହାରଥୀ ପୁଣି ମହାଦାନୀ ହୋଇ ସଂସାରେ ରଖିଲେ ଯଶ

ଶ୍ରେଷ୍ଠବୀରତ୍ବରେ ହୋଇ ମହାଯୋଦ୍ଧା ଦେଖାଇଥିଲେ ପୌରୁଷ।


ତାଙ୍କ ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ଉତ୍ତମ ଆଦର୍ଶ ଥିଲା ମହାନ

ଉଚ୍ଚ କୁଳେ ଜନ୍ମ ଅଟେ ଦୈବାଧୀନ ପୁରୁଷତ୍ବ ମଦାଧୀନ ।


ମାନବ ସମାଜେ ଦେଲ ମହାଶିକ୍ଷା ହୋଇ ତୁମେ ମହାଜ୍ଞାନୀ

ତ୍ଯାଗ ଓ ସଞ୍ଜମ,ସାଧୁତା ଗୁଣରେ ହୋଇଲ ଅମର ପୁଣି ।


ମାତା ଓ ପୁତ୍ରଙ୍କ ପରିଚୟ ପରେ ମାତାଙ୍କର ନିବେଦନ

ଯୁଦ୍ଧେ କର୍ଣ୍ଣ କିମ୍ବା ଅର୍ଜୁନ ମରିଲେ ବଞ୍ଚିବେଟି ପାଞ୍ଚଜଣ ।


ପାଣ୍ଡବଙ୍କୁ ନିଜ ଭାଇ ନଜାଣି ବି ହେଲେ ବୀରଗତି ପ୍ରାପ୍ତ

ଧର୍ମର ଯୁଦ୍ଧରେ ନିଜ ଭାଇ ହାତେ ହୋଇଲେ କର୍ଣ୍ଣ ନିହତ ।


ପୃଥିବୀ ମାତା ମଧ୍ୟ ବୀରକର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ 

ଆଜୀବନ ଦୁଃଖ-ଯନ୍ତ୍ରଣା-ଶାପକୁ ମଥାପାତି ସହିଥିଲେ ।


ଧନ୍ୟ ତୁମେ ବୀର ତୁମ କୀର୍ତ୍ତିରାଜି ଧନ୍ୟ ତବ ପିତାମାତା

ଭକ୍ତି ପ୍ରଣତିର ନୈବେଦ୍ଯ ସମର୍ପି ସ୍ମରିବି ଅମର ଗାଥା ।


Rate this content
Log in

Similar oriya poem from Inspirational