ଅଭିନୟ
ଅଭିନୟ
ସଂସାର ଟା ଏକ ରଙ୍ଗମଞ୍ଚ ହେଲେ
ସବୁ ଆମେ ଅଭିନେତା,
ନାଟକରେ ଯେବେ ସରେ ଅଭିନୟ
ହଜିଯାଏ ଆମ ସତ୍ତା |
କାହାଣୀ ବଳିଷ୍ଠ ହୋଇଥିବ ଯଦି
ଚରିତ୍ର ଜୀବନ୍ତ ଲାଗେ,
ଅଭିନୟ ମଧ୍ୟ ଦର୍ଶକ ହୃଦୟେ
ଗଭୀର ଭାବରେ ଦାଗେ |
କେତେବେଳେ ଅଶ୍ରୁ ଆଖିରେ ଆସଇ
କେତେବେଳେ ଜାଗେ କ୍ରୋଧ,
ଅଭିନୟ ଯେବେ ପାଗଳ ଚରିତ୍ର
ମନେ ଉପୁଜଇ ଦ୍ଵନ୍ଦ |
ହାସ୍ୟ ରସ ଭରା ଅଭିନୟେ ଥାଏ
ଜୀବନର ସାତରଙ୍ଗ,
ସେ କେବେ ହସେନା ଅନ୍ୟକୁ ହସାଇ
ଭରିଦିଏ ପ୍ରୀତି ରାଗ |
ଅଭିନୟେ ପ୍ରେମ ମିଛ ତ ନିଶ୍ଚୟ
କିନ୍ତୁ ଲାଗେ ସତ ପରି,
ମିଳନର ବାସ୍ନା ମନେ ଭରିଦିଏ
ଅବାଂଛିତ ମଧୁ ଭରି |
ଅଭିନୟେ କିଏ ହୁଏ କାହାପତ୍ନୀ
କିଏ ବା କାହାର ପତି,
ହୋଇଯାଏ ଯେବେ କାହାଣୀ ସମ୍ପୂର୍ଣ୍ଣ
ସରିଯାଏ ରାତି ପ୍ରୀତି |
ଅଭିନେତା ଜଣେ ଚରିତ୍ରକୁ ନେଇ
ମୁଖେ ରଙ୍ଗ ମାଖିଥାଏ,
ରାତି ପାହିଗଲେ ସେ ରଙ୍ଗ ରହେନା
ଘଷିମାଜି ଧୋଇଦିଏ |
ବାସ୍ତବ ଜୀବନ ମଧ୍ୟ ଅଭିନୟ
ମାୟାଭରା ଏ ସଂସାର,
ଜୀବନ ସରିଲେ ଅଭିନୟ ସରେ
କେହି ନୁହଇଁ କାହାର |
ସୁଖ ପାଇଁ ବନ୍ଧା ହୋଇଥାନ୍ତି ସର୍ବେ
ସ୍ୱାର୍ଥର ସାରଥୀ ହୋଇ,
ସ୍ୱାର୍ଥ ଭଗ୍ନ ହେଲେ ନିଜ ଲୋକେ ମଧ୍ୟ
ପାଶେ ରହନ୍ତିନି କେହି |
ସଂସାରକୁ ଜୀବ ଏକା ଆସିଥାଏ
ଯିବାବେଳେ ଏକା ଯାଏ,
ମାୟାଭରା ସୃଷ୍ଟି ମଞ୍ଚେ ଅଭିନୟ
ସରିଗଲେ ମୃତ୍ୟୁ ହୁଏ |
