STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଅଭିନୟ

ଅଭିନୟ

1 min
198

ଏ ମୁକ୍ତ ରଙ୍ଗମଞ୍ଚରେ ଜଣେ ଜଣେ ଅଭିନେତା ଏଠି,

ଅଭିନୟ ସରିଗଲେ ଫେରିବାକୁ ହେବ ନିଜ ନିକେତନେ

ତୁଟାଇ ଦେଇ ଜଗତୀରେ ନିଜ ଭାଗର କର୍ତ୍ତବ୍ୟର ଧାଟୀ।। 


ଅଭିନୟ ହିଁ ବଞ୍ଚିବାର ବାସ୍ତବତା ଅନିତ୍ୟ ସଂସାରେ,

କିନ୍ତୁ ଅଭିନୟ ମାନେ ନୁହେଁ ଛଳନା ଓ ମିଥ୍ୟାଚାର ଯେତେ

ନିଜକୁ ଚିହ୍ନିବା ପରେ ବଞ୍ଚିବାର ଅଭିନୟ ସାର ଏ ସଂସାରେ।। 


ମାଆ କରେ ଅଭିନୟ କୋହ ଚାପି ହସାଏ ତା ସନ୍ତାନେ,

ବିଳମ୍ବ ବୟଷେ ପୁଣି ଛନ୍ଦି ହୁଏ ସନ୍ତାନର ଅଭିନୟ ଜାଲେ

ପ୍ରତିଟି ମଣିଷ କରେ ଅଭିନୟ ଏଠି ଢାଙ୍କି ରଖି ଅସଲ ଆନନେ।। 


ଛାତିତଳ ବ୍ୟଥା ଚାପି କିଏ ହସେ ଅହଂତ୍ୱର ମିଛ ଅଟ୍ଟହାସ୍ୟ,

ଛଳନାରେ ନିର୍ବାଚନ ଜିତି ନେତା କରେ ଆଉ ଏକ ନୂତନ ନାଟକ

ଅଭିନୟର ଧୂମ୍ର କୁହୁଡ଼ିରେ ଲୁଚିଯାଏ ଚେହେରାର ଅସଲ ରହସ୍ୟ।। 


ଅଭିନୟ କେବେ ଆଣେ ବସନ୍ତର ଚିତ୍ତଚୋରା ଚଇତି ସମୀର,

କେବେ ପୁଣି ଜୀବନକୁ ଠେଲିଦିଏ ଦିଗହଜା ଘନ ଅନ୍ଧକାରେ

ପ୍ରେମ ହୁଏ ପଲ୍ଲବିତ କେବେ ପୁଣି ଭାଙ୍ଗେ ସଜଡ଼ା ସଂସାର।। 


ସରସିଜ ପତ୍ର ପୃଷ୍ଠେ ହିରକ ସମ ଜଳବିନ୍ଦୁ ଢଳ ଢଳ,

ଆସକ୍ତି ବିହୀନ ଚିତ୍ତ ଯେହ୍ନେ ବିବେକର ସଂଯମ ଶାସନେ

ପରିପୁଷ୍ଟ ମଣିଷଟିଏ ବାସ୍ତବରେ ଅଭିନେତା ମହୀରେ ସଫଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract