ଅଭିନୟ
ଅଭିନୟ
ହଁ! ମାନୁଛି ଏଇଟା ନିରାଟ ସତ କଥା
ମୁଁ କରିପାରେ ଛଳନା ସଭିଙ୍କ ସହିତ
ସାରା ଦୁନିଆଁର ଅଣୁ ପରମାଣୁ ସହ
ଭଦ୍ରାମିର ମୁଖା ପିନ୍ଧି ମୁଖରେ
ନୀଳ ରଙ୍ଗ ମାଖି ସର୍ବାଙ୍ଗ ଶରୀରେ
ଭଣ୍ଡିପାରେ ସମସ୍ତଙ୍କୁ ଅକ୍ଲେଶରେ
ମୋର ଜୀବନ୍ତ ଅଭିନୟର ଯାଦୁରେ
ଲହୁଣୀ ଚିକ୍କଣ ବାକ୍ଯ ବିନିମୟରେ ।
କେଜାଣି କାହିଁକି ହାରିଯାଏ ମୁଁ
ସଦାବେଳେ ନିଜ ପାଖରେ
ବାକ୍ ଚାତୁରୀ କଳା କାରିଗରୀ
ସକଳ ମୋହର ହାର୍ ମାନେ
ମୋ ବିବେକ ଆଗରେ
ତାକୁ ଠକିବା ତ ବହୁ ଦୂର
କରିପାରେନି ତିଳେ ବି ଛଳନା
ମୋହର ଅନ୍ତରାତ୍ମା ପାଶରେ ।
ଶତ ଚେଷ୍ଟା କରି ବି ପାରେନି
ମୁଁ ଅଭିନୟ ଆପଣା ସାଥିରେ
ଦୁନିଆ ଆଖିରେ ମୁଁ ହୁଏତଃ
ହୋଇ ପାରିଥାଏ କୁଶଳୀ ନିପୁଣ
ସଫଳ ଅଭିନେତାଟିଏ
ମାତ୍ର ମୁଁ ହାରିଯାଏ ସଦାସର୍ବଦା
ଆପଣା ଅନ୍ତର୍ମନ ପାଶରେ ।
ମୋର ତମାମ ଭୁଲ୍ ଭଟକା
ଛଳନା ପ୍ରତାରଣା ପ୍ରବଞ୍ଚନା
ପାଇଁ ମୁଁ ହୁଅଇ ଅନ୍ତରାତ୍ମା
ଦ୍ବାରା ଲାଞ୍ଛିତ ପ୍ରତାଡ଼ିତ
ଜଳି ଯାଏ ଅଷ୍ଟାଙ୍ଗ ଶରୀର
ଗଭୀର ଅନୁତାପର ଅନଳରେ
ପ୍ରତିଟି ଦିବସର ଅବସାନରେ
ଦୀନଚର୍ଯ୍ଯାର ରୋମନ୍ଥନରେ ।